ତାଳଚେର-ଗୋପାଳପୁର ନୂତନ ରେଳପଥ ମଞ୍ଜୁର ପାଇଁ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନିକଟରେ କେନ୍ଦ୍ର ସରକାର ତାଳଚେର-ଗୋପାଳପୁର ନୂତନ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ନେଇ ନୟାଗଡ଼ ଜିଲ୍ଲାରେ ଖୁସୀର ମାହୋଲ ସୃଷ୍ଠି ହୋଇଥିବା ବେଳେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ୧୯୯୦ ମସିହାରୁ ସର୍ଭେ ଆରମ୍ଭ ହୋଇଥିବା  ୨୯୩ କିମି ଦେର୍ଘ୍ୟ ଏହି ରେଳପଥ ନିର୍ମାଣ ହେଲେ ଏହାଦ୍ୱାରା  ୫ଟି ଜିଲ୍ଲାର ସାମାଜିକ,ଅର୍ଥନୈତିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ଘଟିବ । ବିଶେଷ କରି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା, କଣ୍ଟିଲୋ,ଭାପୁର,ଶରଣକୁଳ,ଓଡ଼ଗାଁ  ଆଦି କ୍ଷେତ୍ରର ପର୍ଯ୍ୟଟନର ବିକାଶ ଘଟିବା ସହିତ ଏହି ସ୍ଥାନ ମାନଙ୍କରେ ରେଳ ଷ୍ଟେସନ ନିର୍ମାଣ ହେବାର ପ୍ରସ୍ତାବ ରହିଛି । ସେହିପରି   ଗଞ୍ଜାମ ଜିଲ୍ଲାର  କୁକୁଡ଼ାଖଣ୍ଡି,ହିଞ୍ଜିଳିକାଟୁ, ଧବଳପୁର,ଆସ୍କା,ସୁବଳୟା,ବାଲିପଦର,ବୁଗୁଡ଼ା,କରଚୁଲି,ବନ୍ତପୁର ସହିତ କଟକ, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର

ବଡ଼ମ୍ବା,ନୂଆପାଟଣା,ଗୋବିନ୍ଦପୁର,ରସୋଲ,ମଇଧରପୁର,ଟାକୁଆ ଆଦି ସ୍ଥାନରେ ରେଳ ଷ୍ଟେସନ ନିର୍ମାଣ ହେବାର ଯୋଜନା ରହିଛି । ଇତି ମଧ୍ୟରେ ଏହି ପ୍ରକଳ୍ପର ଫାଇନାଲ ଲୋକେସନ ସର୍ଭେ କୁ ରେଳମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର) ଉପରେ ମୋହର ମାରିଛନ୍ତି । ଅନ୍ୟପକ୍ଷରେ ଗତ ଜାନୁଆରୀ ୬ ତାରିଖରେ ରେଳମନ୍ତ୍ରୀ ଦଶପଲ୍ଲା ଷ୍ଟେସନ ଉଦଘାଟନ କରିବା ଅବସରରେ ନୟାଗଡ଼ ଷ୍ଟେସନଠାରେ ତାଳଚେର-ଗୋପାଳପୁର କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ  ପକ୍ଷରୁ ଉକ୍ତ ରେଳ ପ୍ରକଳ୍ପକୁ ତୁରନ୍ତ ଆରମ୍ଭ କରିବା ପାଇଁ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସେହିପରି ରେଳମନ୍ତ୍ରୀ ନିକଟରେ କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ ସମୟରେ କଣ୍ଟିଲୋ ଏବଂ ଖଣ୍ଡପଡ଼ାକୁ ଖୁବଶୀଘ୍ର ନୟାଗଡ଼ଠାରୁ ରେଳ ସଂଯୋଗ କରାଯିବ ବୋଲି ଘୋଷଣା କରିଥିଲେ । ରେଳମନ୍ତ୍ରୀ କଥା ଦେଇ କଥା ରଖିଥିବାରୁ ଜିଲ୍ଲାରେ ଆନନ୍ଦର ଲହରୀ ଖେଳି ଯାଇଥିବା ବେଳେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ନୟାଗଡ଼ ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ନାଗରିକ ମଞ୍ଚ ସମ୍ପାଦକ ଲକ୍ଷ୍ମୀଧର ସାହୁ ରେଳମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଅଧିକ ପଢନ୍ତୁ