ଏମ୍ସ ଭୁବନେଶ୍ବର ଅର୍ଥୋପେଡ଼ିକ୍ ବିଭାଗ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ ଚିକିତ୍ସା ସଫଳତା ଜଣେ ଯୁବକଙ୍କ ଜୀବନରେ ଖୁସି ଆଣିଦେଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୩୭ ବର୍ଷୀୟ ଯୁବକ ବିଶ୍ୱ ଭୂଷଣ ରାଉତ ପ୍ରାୟ ୨୦ ବର୍ଷ ଧରି ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡ଼ିତ ଥିଲେ। ମାତ୍ର ଏମ୍ସ ଭୁବନେଶ୍ବର ଅର୍ଥୋପେଡିକ୍ ବିଭାଗ ପକ୍ଷରୁ ତାଙ୍କର ତିନୋଟି ଜଟିଳ ଅସ୍ତ୍ରୋପଚାର ପରେ, ସେ ଏକ ନୂତନ ଜୀବନ ଲାଭ କରିଛନ୍ତି |ଶ୍ରୀ ରାଉତଙ୍କ ମେରୁଦଣ୍ଡ ଏବଂ ଉଭୟ ନିତମ୍ବ ସମ୍ପୂର୍ଣ୍ଣ ମିଶିବା ଭଳି ଅବସ୍ଥାରେ ଥିଲା। ଫଳରେ ତାଙ୍କ ଶୁଣ୍ଡି ବଙ୍କା ହୋଇଯାଇଥିଲା ଏବଂ ବେକରୁ ନିତମ୍ବ ପର୍ଯ୍ୟନ୍ତ ଅଚଳ ହୋଇଯାଇଥିଲା । ତାଙ୍କ ମେରୁଦଣ୍ଡ ଏବଂ ଜଙ୍ଘ ପ୍ରାୟ ୧୫୦-ଡିଗ୍ରୀ ବଙ୍କି ଯାଇଥିଲା। ତାଙ୍କ ମୁହଁ ପ୍ରାୟ ତାଙ୍କ ଜଙ୍ଘକୁ ଛୁଇଁ ସାରିଥିଲା। ଏପରି ଗୁରୁତର ଅବସ୍ଥା ତାଙ୍କ ଦୈନନ୍ଦିନ ଜୀବନକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ଚାଲିବା, ବସିବା ଏବଂ ଶୋଇବା ଅତ୍ୟନ୍ତ କଷ୍ଟକର କରିଦେଇଥିଲା, ଯାହାକି ତାଙ୍କ ଜୀବନକୁ ଦୁର୍ବିସହ କରିଥିଲା । ଅତ୍ୟନ୍ତ ଜଟିଳ ଅବସ୍ଥା ଏବଂ ଅପ୍ରତ୍ୟାଶିତ ଅସ୍ତ୍ରୋପଚାର ବିପଦ କାରଣରୁ ପକ୍ଷାଘାତର ଯଥେଷ୍ଟ ସମ୍ଭାବନା ଥିବାରୁ ଓଡ଼ିଶାର ଅନେକ ହସ୍ପିଟାଲ ଏବଂ ଭାରତର ଅନ୍ୟାନ୍ୟ ପ୍ରମୁଖ ପ୍ରତିଷ୍ଠାନ ତାଙ୍କ କେସ୍ ଗ୍ରହଣ କରିପାରିନଥିଲେ। ତାଙ୍କର ଆର୍ଥିକ ସଙ୍କଟ ଉଚ୍ଚମାନର ଘରୋଇ ସ୍ୱାସ୍ଥ୍ୟସେବା ପାଇବାକୁ ବାଧା ସୃଷ୍ଟି କରିଥିଲା।ସେଠାରେ ବିଭାଗୀୟ ସହକାରୀ ପ୍ରଫେସର୍ ଡ. ଦୀପକ ନେରାଡି ବିଶ୍ବଙ୍କୁ ପରୀକ୍ଷା ନିରୀକ୍ଷା ପରେ ବିଭାଗୀୟ ମୁଖ୍ୟ ଡ. ବିଷ୍ଣୁ ପ୍ରସାଦ ପାତ୍ରଙ୍କ ମାର୍ଗଦର୍ଶନରେ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରିଥିଲେ। ଡ. ନେରାଡି ଏବଂ ଡ. ଗୁରୁଦୀପ ଦାସ ନ୍ୟୁରୋମନିଟରିଂ, ବୋନ୍ ସ୍କେଲପେଲ୍, ହାଇ-ସ୍ପିଡ୍ ବର୍ ଏବଂ ସର୍ଜିକାଲ୍ ମାଇକ୍ରୋସ୍କୋପ୍ ଭଳି ଉନ୍ନତ ଉପକରଣ ବ୍ୟବହାର କରି ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ। ଉକ୍ତ ଯୁବକଙ୍କର ଦୁଇଟି ଯାକ ହିପ୍ ରିପ୍ଲେସମେଣ୍ଟ୍ କରାଯିବା ସହିତ ମେରୁଦଣ୍ଡ ବିକୃତି ସଂଶୋଧନ ସଫଳତାର ସହିତ କରିଥିଲେ। ଉକ୍ତ ତିନି ଅସ୍ତ୍ରୋପଚାର ପରେ ଯୁବକଜଣଙ୍କ ସ୍ବାଭାବିକ ଭାବେ ବସିପାରୁଛନ୍ତି, ଠିଆ ହୋଇପାରୁଛନ୍ତି, ଚାଲିପାରୁଛନ୍ତି, ଏବଂ ସିଧା ଆଗକୁ ଚାହିଁ ମଧ୍ୟ ପାରୁଛନ୍ତି। ଏହା ତାଙ୍କ ଜୀବନର ଗୁଣବତ୍ତା ଏବଂ କାର୍ଯ୍ୟକ୍ଷମତାରେ ଏକ ନାଟକୀୟ ଉନ୍ନତି ଆଣିଛି।
