ସାରା ଦେଶରେ ଚାଲିଛି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ମଧ୍ୟପ୍ରଦେଶରେ ବି ପରୀକ୍ଷା ଦେଉଛନ୍ତି ହଜାର ହଜାର ଛାତ୍ରୀ । ତେବେ ଧାର ଜିଲ୍ଲାର ପରୀକ୍ଷା ହଲ୍ରୁ ନଜର ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ।। ସେକ୍ଟର-୧ ଥାନା ଅଞ୍ଚଳର ବୋର୍ଡ ପରୀକ୍ଷା କେନ୍ଦ୍ରକୁ ଗଣିତ ପରୀକ୍ଷା ଦେବାକୁ ଆସିଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲ ବାଥରୁମରେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ । ଏହି ଘଟଣା ପରୀକ୍ଷା କେନ୍ଦ୍ରରେ ଚାପା ଉତ୍ତେଜନା ସୃଷ୍ଟି କରିଛି ।ମାମଲା ଏବେ ଚାଲିଛି ପୋଲିସ ତଦନ୍ତ ପରିସରରେ । ପୋଲିସ ଆହୁରି କହିଛି ଯେ, ପରିବାର ଲୋକ ନାବାଳିକାଙ୍କ ଗର୍ଭଧାରଣ ବିଷୟରେ ଥିଲେ ସଂପୂର୍ଣ୍ଣ ଅଜ୍ଞ ।
ସୂଚନା ଥାଉକି, ଛାତ୍ରୀ ଜଣକ ତାଙ୍କ ଗଣିତ ପେପର ଦେବା ପାଇଁ ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିଥିଲେ । ପ୍ରାୟ ଦେଢ଼ ଘଣ୍ଟା ଧରି ନିରନ୍ତର ପରୀକ୍ଷା ଦେଉଥିଲେ । ହଠାତ୍ ପରୀକ୍ଷା ସମୟରେ, ସେ ପେଟରେ ଯନ୍ତ୍ରଣା ହେଉଥିବା ଅନୁଭବ କରିଥିଲେ । ସଂଗେ ସଂଗେ ସେ ବାଥରୁମକୁ ଚାଲିଗଲେ । କିଛି ସମୟ ପରେ, ଶୌଚାଳୟ ଭିତରୁ ଏକ ଶିଶୁର କାନ୍ଦଣା ଶବ୍ଦ ଶୁଭିଥିଲା । ଜଣେ ମହିଳା କର୍ମଚାରୀଙ୍କୁ ଭିତରକୁ ପଠାଗଲା । ଯେଉଁଠାରେ ସେ ଜାଣିବାକୁ ପାଇଲେ ଯେ ଛାତ୍ରୀ ସେଠାରେ ଶିଶୁକୁ ଜନ୍ମ ଦେଇଛନ୍ତି । ତୁରନ୍ତ ଏକ ଆମ୍ବୁଲାନ୍ସ (୧୦୮ ସେବା) ଡକାଯାଇଥିଲା ।ଛାତ୍ରୀ ଓ ନବଜାତ ଶିଶୁ ଉଭୟଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଏବେ ଉଭୟ ସୁସ୍ଥ ଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।ଘଟଣା ସମ୍ପର୍କରେ ସୂଚନା ପାଇ ଛାତ୍ରୀଙ୍କ ମାଆ ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲେ। ସେ ଡାକ୍ତରମାନଙ୍କୁ କହିଥିଲେ ଯେ ତାଙ୍କ ଝିଅର ଗର୍ଭଧାରଣ ବିଷୟରେ ତାଙ୍କୁ କୌଣସି ସୂଚନା ନାହିଁ । ପରିବାର ଲୋକଙ୍କ କହିବା ଅନୁଯାୟୀ, ଛାତ୍ରୀ ଜଣକ ନିର୍ବନ୍ଧ କରିଥିଲେ ଏବଂ ତାଙ୍କ ମଙ୍ଗେତର ସେମାନଙ୍କ ଘରକୁ ଆସୁଥିଲେ। ପରିବାର ସଦସ୍ୟମାନେ ସନ୍ଦେହ କରିଥିଲେ ଯେ ନବଜାତ ଶିଶୁଟି ତାଙ୍କ ମଙ୍ଗେତର ହୋଇପାରେ ।
