ଦଶହରାରେ ବଡ ବର୍ଷାର ସମ୍ଭାବନା ନାହିଁ,ଶୁଖିଲା ରହିବ ପାଗ

ମୌସୁମୀ ଅପସାରଣ ପ୍ରକିୟା ଜାରି ରହିଥିବାରୁ ବାୟୁରେ ଆର୍ଦ୍ରତା ବଢ଼ୁଛି। ଏହା ପ୍ରଭାବରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ପରେ ଗୁଳୁଗୁଳି କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥର ଦଶହରାରେ ପାଗ ଶୁଖିଲା ରହିବ । ହେଲେ ନୟାନ୍ତ କରିପାରେ ଗୁଳୁଗୁଳିଆ ପାଗ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ରାଜ୍ୟରେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ । ସମ୍ଭବତଃ ଆସନ୍ତା ୬ କିମ୍ବା ୭ ତାରିଖରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ । ୧୧ ଓ ୧୨ ତାରିଖରେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ସମଗ୍ର ଉପକୂଳରେ ପାଗ ଶୁଖିଲା ରହିବା ସମ୍ଭାବନା ଅଛି । ତେବେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସଙ୍କେତ ମିଳୁନାହିଁ । ପଶ୍ଚିମବଙ୍ଗ ଉପରେ ଗତକାଲିଠାରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମାତ୍ର ଏହା ଓଡ଼ିଶାରୁ ଦୂରରେ ରହିବ । ଏହାର କୌଣସି ପ୍ରଭାବ ରାଜ୍ୟ ଉପରେ ପଡ଼ିବନାହିଁ । ଶନିବାର ଠାରୁ ୬ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି।

ଅଧିକ ପଢନ୍ତୁ