ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠନ ହୋଇଥିବା ଟାସ୍କଫୋର୍ସର ପ୍ରଥମ ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ଏବଂ ଅନ୍ୟ ବିଭାଗର ମନ୍ତ୍ରୀଗଣ, ଅତିରିକ୍ତ ପ୍ରମୁଖ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।ରାଜ୍ୟରେ ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠିତ ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସର୍ ପ୍ରଥମ ବୈଠକରେ ଦାଦନ ଯିବା କାରଣ ଓ ଏହାର ସମାଧାନ ଉପରେ ସଭିଏଁ ନିଜ ନିଜର ମତବ୍ୟକ୍ତ କରିଥିଲେ ।
ବୈଠକରେ ଶ୍ରୀ ସିଂହଦେଓ ଅଧ୍ୟକ୍ଷତା କରି କହିଥିଲେ ଯେ, ଲୋକଙ୍କୁ ସ୍ଥାୟୀ ଜୀବିକା କିମ୍ବା ରୋଜଗାରର ପନ୍ଥା ଯୋଗାଇ ଦେବା ସହ ଦଲାଲ (ଲେବର୍ ସର୍ଦ୍ଦାର)କୁ ହଟାଇ ପାରିଲେ ଦାଦନ ବିସ୍ଥାପନ ସମସ୍ୟା କିଛି ମାତ୍ରାରେ କମିଯିବ । ଅଧିକ ରୋଜଗାରର ଅଧା ଦେଖାଇ ସେମାନେ ଦିନମଜୁରିଆଙ୍କୁ ପ୍ରଲୋଭିତ କରନ୍ତି । କିନ୍ତୁ ପରେ ସେମାନଙ୍କୁ ଠିକ ଭାବରେ ପାରିଶ୍ରମିକ ନ ଦେଇ ଦିନରାତି ଖଟାନ୍ତି। ସେଥିପାଇଁ ସରକାରଙ୍କ ତରଫରୁ ଏହି ଟାସ୍କଫୋର୍ସ ଗଠନ କରାଯାଇ ରଣନୀତି ପ୍ରସ୍ତୁତ କରାଯାଉଛି । ଦାଦନ ଭାବେ ବାହାର ରାଜ୍ୟକୁ କିମ୍ବା ଦେଶକୁ ଯାଉଥିବା ବ୍ୟକ୍ତି ପ୍ରଥମେ ନିଜକୁ ପଞ୍ଜିକରଣ କରାନ୍ତୁ । ଯାହାଫଳରେ ଭବିଷ୍ୟତରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସରକାର ଆବଶ୍ୟକ ମୁତାବକ ସାହାଯ୍ୟ ଯୋଗାଇ ଦେଇପାରିବେ ।