ଆହୁରି ୩ ଦିନ ଗୁଳୁଗୁଳି। ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ସଂପୃକ୍ତ ଅଞ୍ଚଳରେ ସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଦିନ ବେଳା ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ତିନି ଦିନରେ ଅନେକ ସ୍ଥାନର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିଯିବ । ଦିନବେଳା ଗରମ ଓ ଗୁଳୁଗୁଳି ନାକେଦମ କରିବ । କିନ୍ତୁ ସନ୍ଧ୍ୟାରେ ମାଡ଼ି ଆସିବ କାଳବୈଶାଖୀ । ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ । ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବି ଡରାଇବ କାଳବୈଶାଖୀ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ବୁଧବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଟ୍କା ପବନ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ବହିବା ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, କନ୍ଧମାଳ, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି ଓ କଟକ ଜିଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଏହି ସମସ୍ତ ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପଟେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ଜିଲାରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ପାଇଁ ୟେଲୋ ଓ୍ବାର୍ନିଂ ରହିଛି। ଗତକାଲି ମୌସୁମୀ ଆଣ୍ଡାମାନ ଛୁଇଁଥିବାବେଳେ ଆସନ୍ତା ୨୭ ତାରିଖ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଇଏମଡି।
