ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗରେ ଚିଠି ଲେଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତଦନ୍ତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କୁ ଚିଠି ଲେଖିଲେ ଆଇନ ମନ୍ତ୍ରୀ । ଦୀଘାରେ ‘ଜଗନ୍ନାଥ ଧାମ’ ଲେଖାଯିବା ଅଗ୍ରହଣୀୟ । ଏହା ଜନତାଙ୍କ ମନରେ କଷ୍ଟ ଦେଉଥିବା ଅନୁଭବ ହେଉଛି । ଘଟଣାର କେହି ଦୋଷୀ ଥିଲେ ଦଣ୍ଡ ବିଧାନ ହେଉ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।ଆଇନ ମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିକୁ ନେଇ କିଛି ଦିନ ହେବ ଦ୍ବନ୍ଦ୍ବାତ୍ମକ ତଥ୍ୟ ପ୍ରଚାରିତ ହେଉଛି। ଦୀଘାରେ ଜଗନ୍ନାଥ ମନ୍ଦିର ହେବା, ଏହାକୁ ଜଗନ୍ନାଥ ଧାମ ନାମ ଦେବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ତଥା ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଚର୍ଚ୍ଚା ଅଗ୍ରହଣୀୟ। ଏଭଳି କଥା ଗୁଡିକ ଜଗନ୍ନାଥ ପ୍ରେମୀ ଭକ୍ତ ସମାଜ ଓ ଓଡିଶାର ସାଢେ ଚାରିକୋଟି ଜନତାଙ୍କ ମନରେ କଷ୍ଟ ଦେଇଛି।ଏହି କାରଣରୁ ସମ୍ପୂର୍ଣ୍ଣ ଘଟଣା ଉପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ଅନ୍ତରୀଣ ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାର ବ୍ୟବସ୍ଥା କରାଯାଉ । ଏହି ଘଟଣାରେ ଯଦି କେହି ଦୋଷୀ ସାବ୍ୟସ୍ତ ହେଉଛନ୍ତି ବା ଜ୍ଞାତସାରରେ ଥାଇ ଏଭଳି ଘଟଣା ଘଟାଉଛନ୍ତି ସେ ବାବଦରେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଦଣ୍ଡବିଧାନ କରିବାର ପ୍ରାବଧାନ ମଧ୍ୟ କରାଯାଇପାରେ ।
