କୃଷିକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । କେମିତି ଚାଷୀର ବିକାଶ ହେବ ସେ ନେଇ ନିଇତି ନୂଆ ନୂଆ ଯୋଜନା କରାଯାଉଛି । ଯାହାର ଭରପୂର ଫାଇଦା ଉଠାଉଛନ୍ତି ଚାଷୀ । କଳାହାଣ୍ଡିର ଆମ୍ବ, ଭେଣ୍ଡି, ଢେଙ୍କାନାଳର ସୁଆଦିଆ ଆମ୍ବ ଆଦି ଦୁବାଇ ଯିବା ପରେ ଏବେ ପୁଣି ଓଡ଼ିଆଙ୍କର ଅତିପ୍ରିୟ ସଜନା ଛୁଇଁ ଓ ପୋଟଳ ବିଦେଶକୁ ରପ୍ତାନୀ ହେଉଛି । ଏନେଇ ସୂଚନା ଦେଇଛନ୍ତି କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ । ନାବାର୍ଡ ସହାୟତାରେ ପୋଟଳ ଏବଂ ସଜନା ଛୁଇଁ ଦୁବାଇକୁ ରପ୍ତାନୀ କରାଯାଇଛି ।
ଏହି ରପ୍ତାନୀ ପରେ ଚାଷୀ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଆଗାମୀ ଦିନରେ ଆହୁରି ଅନ୍ୟ ସମସ୍ତ ପନିପରିବା ଚାଷ କରି ବିଦେଶକୁ ରପ୍ତାନୀ କରି ଚାଷୀଙ୍କୁ ଆହୁରି ରୋଜଗାର କ୍ଷମ କରାଯିବ ବୋଲି କୁହାଯାଇଛି ।କୃଷିଭିତ୍ତିକ ରାଜ୍ୟ ହେଉଛି ଓଡ଼ିଶା । ରାଜ୍ୟର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ । କିନ୍ତୁ ପ୍ରୋତ୍ସାହନ ଅଭାବରୁ ଅନେକ ସମୟରେ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ । ହେଲେ ଏମିତି ସମୟରେ ଏବେ ରାଜ୍ୟ ସରକାର କୃଷିକୁ ଗୁରୁତ୍ବ ଦେବା ସହିତ ଚଷାପୁଅର ବିକାଶ ଲାଗି କାମ କରୁଛନ୍ତି । ସେଇଥି ଲାଗି ତ ଏବେ ଓଡ଼ିଶା ମାଟିରେ ଫଳିଥିବା ଫଳ ବିଦେଶ ଯାଉଛି । କେବଳ ଏବେ ଯାଉଛି ତାହା ନୁହେଁ ବରଂ ଆଗାମୀ ଦିନରେ ବି ଯିବ ବୋଲି ସୂଚନା ମିଳିଛି ।