ଦୁର୍ଗା ପୂଜାମଣ୍ଡପ ବୁଲିବେ ମୋହନ ଓ ନବୀନ

ପବିତ୍ର ଦଶହରା ପାଇଁ ସମଗ୍ର ରାଜ୍ୟ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର କଟକ ସହର ଓ ରାଜଧାନୀ ଭୁବନେଶ୍ବର ଦୁର୍ଗା ପୂଜା ପାଇଁ ଖ୍ୟାତି ଅର୍ଜନ କରିଛି। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଉଭୟ କଟକ ଓ ଭୁବନେଶ୍ବର ସହରର ବିଭିନ୍ନ ପୂଜା ମଣ୍ଡମ ବୁଲିବେ ବୋଲି ସୂଚନା ମିଳିଛି।ପବିତ୍ର ମହାଷ୍ଟମୀରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଗାପୂଜା ମଣ୍ଡପ ବୁଲିବା ଆରମ୍ଭ କରିବେ । ୧୧ ତାରିଖରେ ଭୁବନେଶ୍ୱର, ୧୨ରେ କଟକ, ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ କେନ୍ଦୁଝରରେ ଦୁର୍ଗାପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । ଆଜି ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ୱର ପୂଜା ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ଆରମ୍ଭ ହେବ । ପୁରୁଣା ଭୁବନେଶ୍ୱରର ପାଟଣା ସାହି, ସୁନ୍ଦରପଦା, ବରମୁଣ୍ଡା, ନୂଆପଲ୍ଲୀ, ରସୁଲଗଡ଼, ସହିଦନଗର, ବମିଖାଲ, ଲକ୍ଷ୍ମୀସାଗର, ଷ୍ଟେସନ ଛକ ପୂଜା ମଣ୍ଡପ ବୁଲିବେ ବୋଲି ଜଣାପଡ଼ିଛି ।ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୧୧ ତାରିଖ ମହାଷ୍ଟମୀରେ ସକାଳ ସାଢ଼େ ୧୦ଟାରୁ ନବୀନ ନିବାସରୁ ବାହାରିବେ । ପ୍ରଥମେ ରସୁଲଗଡ଼ ପୂଜା ମଣ୍ଡପ ତା’ପରେ ସହିଦନଗର, ବଡ଼ଗଡ଼ ପୂଜା ମଣ୍ଡପ ଯାଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବେ । ପରବର୍ତ୍ତୀ ଦିନମାନଙ୍କରେ ସେ ଉତ୍ତର ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି| ପୂର୍ବରୁ ଗଣେଶ ପୂଜାରେ ରାଜଧାନୀର ବିଭିନ୍ନ ମଣ୍ଡପ ବୁଲିଥିବା ନବୀନ ଏବେ ଦଶହରାରେ ପୂଜାମଣ୍ଡପ ବୁଲିବେ ବୋଲି ସୂଚନା ମିଳିଛି।

ଅଧିକ ପଢନ୍ତୁ