ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା। ଅନୁଗୋଳ ଜିଲା ଯୋଜନା ଓ ମନିଟରିଂ ୟୁନିଟ(ଡିପିଏମୟୁ)ରେ ଭାବେ କାର୍ଯ୍ୟରତ ଲମ୍ବୋଦର ବେହେରାଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବରଖାସ୍ତ କରାଯାଇଛି। ବିଜେଡି ସରକାର ଅମଳରେ ବିଗତ ୫ବର୍ଷ ମଧ୍ୟରେ ମୋଟ ୪୭ଜଣ ଦୁର୍ନୀତିଗ୍ରସ୍ତ ଅଫିସର ଓ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଛେଣ୍ଡିପଦା ତହସିଲର ପୂର୍ବତନ ବରିଷ୍ଠ କିରାଣୀ ଲମ୍ବୋଦର ବେହେରା ଯିଏକି ଏବେ ଅନୁଗୋଳ ଡିପିଏମୟୁରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ଭିଜିଲାନ୍ସ ମାମଲାରେ ଚାକିରିରୁ ବରଖାସ୍ତ କରାଯାଇଛି। ୨୦୧୨ ଏପ୍ରିଲ ମାସରେ ଶ୍ରୀ ବେହେରା ଏକ ଜମି ପଟ୍ଟା କରାଇ ଦେବା ପାଇଁ ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।ଏହି ମାମଲାରେ ୨୦୨୪ ଜୁଲାଇ ୨୫ ତାରିଖରେ ଅନୁଗୁଳସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ ଏବଂ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ । ଏହି ଦଣ୍ଡାଦେଶ ପରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ବେହେରାଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରାଯାଇଥିଲା । ଯାହା ଆଧାରରେ ଅନୁଗୁଳ ଡିପିଏମୟୁର ବରିଷ୍ଠ ରାଜସ୍ୱ ସହାୟକ ବେହେରାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital