ଭାରତ ଦୀର୍ଘ ଦିନରୁ ଦୁର୍ନୀତି ବିରୋଧରେ ଲଢ଼େଇ କରୁଛି। ଦୁନିଆର ଦୁର୍ନୀତିଗ୍ରସ୍ତ ଦେଶ ମଧ୍ୟରେ ଭାରତର ସ୍ଥାନ କେଉଁଠି ଅଛି। ଏ ସମ୍ପର୍କିତ ଏକ ରିପୋର୍ଟ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲରେ ପ୍ରକାଶ ପାଇଛି। ଏହି ସୂଚକାଙ୍କରେ ବିଶ୍ୱର ସବୁଠୁ ଭ୍ରଷ୍ଟ ଓ ସବୁଠୁ ସଚ୍ଚୋଟ ଦେଶଙ୍କ ରାଙ୍କିଙ୍ଗ କରାଯାଏ। ସିପିଆଇ ୧୮୦ ଦେଶ ଓ କ୍ଷେତ୍ରଙ୍କ ସାର୍ବଜନିକ ଅନୁଷ୍ଠାନରେ ଭ୍ରଷ୍ଟାଚାରର କଥିତ ସ୍ତରର ଆଧାରରେ ରାଙ୍କିଙ୍ଗ କରିଥାଏ। ଦେଶମାନଙ୍କୁ ଶୁନରୁ ୧୦୦ ପର୍ଯ୍ୟନ୍ତ ନମ୍ବର ଦିଆଯାଏ। ଏଣୁ ସବୁଠୁ ଅଧିକ ପଏଣ୍ଟ ପାଇଥିବା ଦେଶଙ୍କୁ ଅଧିକ ସଚ୍ଚୋଟ ଓ କମ୍ ପଏଣ୍ଟ ପାଇଥିବା ଦେଶଙ୍କୁ ସବୁଠୁ ଭ୍ରଷ୍ଟ ଘୋଷଣା କରିଥାଏ। ଏହି ରିପୋର୍ଟ ଅନୁସାରେ ଭାରତ ୧୮୦ଟି ଦେଶ ମଧ୍ୟରେ ୯୬ତମ ସ୍ଥାନରେ ରହିଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ରିପୋର୍ଟ ୨୦୨୪ର ଦୁର୍ନୀତି ପରସେପ୍ସନ ଇଣ୍ଡେକ୍ସ (ସିପିଆଇ) ଅନୁଯାୟୀ ଭାରତର ସ୍କୋର ଗୋଟିଏ ପଏଣ୍ଟ ହ୍ରାସ ପାଇ ୩୮କୁ ଆସିଛି। ୨୦୨୩ ମସିହାରେ ଭାରତର ସ୍କୋର ୩୯ ଥିଲା ଏବଂ ୨୦୨୨ ମସିହାରେ ଭାରତକୁ ୪୦ ପଏଣ୍ଟ ଦିଆଯାଇଥିଲା।
୨୦୨୩ ମସିହାରେ ଭାରତର ରାଙ୍କିଂ ୯୩ ଥିଲା। ଏହାର ଅର୍ଥ ହେଉଛି ଭାରତରେ ଦିନକୁ ଦିନ ଦୁର୍ନୀତି ବଢିବାରେ ଲାଗିଛି। ଯାହା ଏକ ଚିନ୍ତାର ବିଷୟ।ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ଦେଶଙ୍କ ରାଙ୍କିଙ୍ଗର ୧୩୫ତମ ସ୍ଥାନରେ ରହିଛି ପାକିସ୍ତାନ। ୨୦୨୩ ତୁଳନାରେ ପାକିସ୍ତାନ ଭ୍ରଷ୍ଟାଚାରରେ ଆଉ ଦୁଇ ପାହାଚ ତଳକୁ ଖସିଛି। ଦୁର୍ନୀତି ଓ ଭ୍ରଷ୍ଟାଚାର ପାଇଁ ୨୭ ପଏଣ୍ଟ ପାଇଥିବା ପାକିସ୍ତାନ ରାଙ୍କିଙ୍ଗରେ ମାଲି, ଲାଇବେରିଆ ଓ ଗବୋନ ଭଳି ଦେଶଙ୍କ ସାଙ୍ଗରେ ସ୍ଥାନ ପାଇଛି। ତେବେ କରପସନ ରାଙ୍କିଙ୍ଗରେ ପାକିସ୍ତାନ ଠାରୁ ଭାରତ ବେଶ ଭଲ ସ୍ଥାନରେ ରହିଛି। ପାକିସ୍ତାନଠୁ ଢେର ଉପରେ ରହିଛି। ଯଦିଓ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଭାରତର ଛବି ଏତେଟା ସଫାସୁତୁରା ନାହିଁ ଓ ୨୦୨୩ ତୁଳନରେ ଗୋଟିଏ ପାହାଚ ତଳକୁ ଖସିଛି ତଥାପି ୩୮ ପଏଣ୍ଟ ପାଇ ୯୬ତମ ସ୍ଥାନରେ ରହିଛି। ସେହିପରି ପଡୋଶୀ ଚୀନ୍ ୪୨ ପଏଣ୍ଟ ସହିତ ରାଙ୍କିଙ୍ଗର ୭୬ତମ ସ୍ଥାନରେ ରହିଛି।