ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁର୍ନୀତି ନିବାରଣ ପାଇଁ କେବଳ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମ ନୁହେଁ, ଏହା ଦୁର୍ନୀତିଖୋର୍ ଅଧିକାରୀଙ୍କୁ ଏବଂ ଦୁର୍ନୀତିରେ ଲିପ୍ତ ସିଷ୍ଟମକୁ ଦୁର୍ନୀତି ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ କଠୋର ବାର୍ତ୍ତା ଦେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅବସରରେ ଉଦ୍ବୋଧନ ଦେଇ କହିଛନ୍ତି।ସେ ପୁଣି କହିଥିଲେ ଦୁର୍ନୀତି ଆମ ସମାଜର ପ୍ରଗତି ଓ ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ତେଣୁ, ଆମ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। ଏହା ଫଳରେ ବିଭିନ୍ନ ଯୋଜନାର ସୁଫଳ ନ୍ୟାୟ ପୂର୍ଣ୍ଣ ଓ ସ୍ୱଚ୍ଛତାର ସହିତ ଉପଯୁକ୍ତ ଲାଭାର୍ଥୀଙ୍କ ପାଖରେ ପହଞ୍ଚାଯାଇ ପାରୁଛି। ଦୁର୍ନୀତିକୁ ରୋକିବା ପାଇଁ ଏକ ସ୍ୱଚ୍ଛ, ପାରଦର୍ଶୀ, ଗତିଶୀଳ ଏବଂ ଅତ୍ୟନ୍ତ ସଚ୍ଚୋଟ ବ୍ୟବସ୍ଥା ଓ ଅଧିକାରୀ ଏକାନ୍ତ ଆବଶ୍ୟକ । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଗଠନ ହେବା ପରେ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲି । ପୂର୍ବ ବ୍ୟବସ୍ଥାକୁ ପରିବର୍ତ୍ତନ କରି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଛୋଟରୁ ବଡ ସମସ୍ତ ଦୁର୍ନୀତି ଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶର ଅଗ୍ରଣୀ ଦୁର୍ନୀତି ବିରୋଧୀ ସଂସ୍ଥା ଭାବେ ସୁନାମ ଅର୍ଜନ କରିଛି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପର୍ଯ୍ୟନ୍ତ କାହାରିକୁ ଛଡାଯାଇନାହିଁ । ଏସବୁ ସମ୍ଭବ ହୋଇଛି ଭିଜିଲାନ୍ସ ଅଧିକାରୀ ମାନଙ୍କୁ ସ୍ୱାଧୀନ ଭାବେ କାର୍ଯ୍ୟକରିବାର ଅଧିକାର ପ୍ରଦାନ ଫଳରେ ।ଦୁର୍ନୀତିରେ ଯୁବ ଅଧିକାରୀଙ୍କ ସଂପୃକ୍ତି ନେଇ ସେ କହିଛନ୍ତି, ସରକାରୀ ଅଧିକାରୀ ହୋଇ ଲୋକଙ୍କ ସେବା କରିବେ ସ୍ବପ୍ନ ଦେଖିଥିଲେ, ସ୍ବଚ୍ଛ ସେବା ଦେବେ ବୋଲି କହୁଥିଲେ। କିନ୍ତୁ ତାହା କମ ପ୍ରତିଫଳିତ ହେଉଛି। ଆଇଏଏସ୍ ଓ ଓଏଏସ୍ ପରୀକ୍ଷାରେ ରାଙ୍କ ରଖି ଖବରକାଗଜରେ ପ୍ରଶଂସିତ ହେଉଥିଲେ। ଦୁର୍ନୀତି କରି ଜେଲ ଯିବାର ଖବର ସେହି ଖବରକାଗଜରେ ଆସୁଛି। କେବଳ କିଛି ଟଙ୍କା ପାଇଁ ନିଜ ଆଦର୍ଶ ଆଉ ବିଚାରଧାରାକୁ ବିକି ଦେଉଛନ୍ତି। ଏହାଦେଖି ରାଜ୍ୟବାସୀ ଚିନ୍ତିତ ହୋଇ ପଡୁଛନ୍ତି । ତେଣୁ ଏଭଳି ଅଧିକାରୀଙ୍କୁ ସାବଧାନ କରିଦିଅନ୍ତୁ, ଭିଜିଲାନ୍ସ କ୍ଷମା ଦେବନି, କି ଛାଡ଼ିବନି।
