ଦୁର୍ନୀତି ରୋକିବା ଦିଗରେ ପ୍ରଶାସନିକ ବ୍ୟବସ୍ଥାର ସୁଦୃଢୀକରଣ ଏବଂ ପ୍ରତିକାରାତ୍ମକ ସତର୍କତା ଅବଲମ୍ବନ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ସଂପର୍କରେ ଦୃଢ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।ସମସ୍ତ ବିଭାଗ ଜିଲ୍ଲାପାଳ ଓ ଆରଡିସିଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଦୁର୍ନୀତିର ମୂଳ କାରଣ ଖୋଜି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯିଏ ଦୁର୍ନୀତି କରୁଛି ତା ଉପରେ କଡା ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଚିଠିରେ ଉଲ୍ଲେଖ ରହିଛି, ରାଜ୍ୟ ସରକାର ସ୍ୱଚ୍ଛ, ପାରଦର୍ଶୀ ଓ ନାଗରିକକୈନ୍ଦ୍ରିକ ପ୍ରଶାସନ ପ୍ରତି ପ୍ରତିବଦ୍ଧ। ନିକଟରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଚିହ୍ନଟ ହୋଇଥିବା ଦୁର୍ନୀତି ମାମଲାଗୁଡ଼ିକ ସୂଚାଉଛି ଯେ, ଏ କ୍ଷେତ୍ରରେ ସକ୍ରିୟ ଓ ନିରନ୍ତର ଧ୍ୟାନ ଦେଇ ପ୍ରତିକାରାତ୍ମକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କେବଳ ଦୋଷୀଙ୍କୁ ଦଣ୍ଡ ଦେବା କାର୍ଯ୍ୟାନୁଷ୍ଠାନ ଦ୍ଵାରା ଏହାର ସମାଧାନ ହୋଇପାରିବ ନହିଁ; ବରଂ ଦୁର୍ନୀତିର ମୂଳ କାରଣଗୁଡ଼ିକୁ ପ୍ରଶାସନିକ, ଆଇନଗତ, ସାମାଜିକ, ଆର୍ଥିକ ଓ ଶିକ୍ଷାମୂଳକ ପଦକ୍ଷେପ ମାଧ୍ୟମରେ ବ୍ୟବସ୍ଥାଗତ ପ୍ରଣାଳୀରେ ଦୂର କରିବା ପାଇଁ ସୁଦୃଢ ପଦକ୍ଷେପ ଆବଶ୍ୟକ।
