ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ସସପେଣ୍ଡ କରାଯାଇଛି। NSUI ତାଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ଦେଇଛନ୍ତି NSUI ରାଷ୍ଟ୍ରୀୟ ସଭାପତି ବରୁଣ ଚୋଧୁରୀ। । ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଉଦିତ ପ୍ରଧାନକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।ଜଣେ ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦ୍ରବ୍ୟ ଦେଇ ଦୁଷ୍କର୍ମ କରିବା ନେଇ ଛାତ୍ରୀ ଜଣକ ଲିଖିତ ଅଭିଯୋଗ କରିଥିଲେ। ମଞ୍ଚେଶ୍ୱର ଅଂଚଳରେ ଥିବା ଏକ ହୋଟେଲରେ ତାଙ୍କୁ ଦୁଷ୍କର୍ମ କରିବା ନେଇ ଅଭିଯୋଗ କରିଥିଲେ ଛାତ୍ରୀ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଉଦିତ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଆଜି ଉଦିତ ପ୍ରଧାନ ଓ ଅଭିଯୋଗକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ନମୁନା ସଂଗ୍ରହ କରାଯିବ ।ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୮ତାରିଖ ଅପରାହ୍ଣରେ ସେ, ତାଙ୍କର ଜଣେ ବାନ୍ଧବୀ ଓ ଜଣେ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ୍ ଛକକୁ ବୁଲିବାକୁ ଯାଇଥିଲେ। ସେଠାରେ ସହପାଠୀଜଣକ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ । ଏହାପରେ ଉଦିତଙ୍କ ଗାଡ଼ିରେ ସେମାନେ ନୂଆପଲ୍ଲୀସ୍ଥିତ ଏକ ହୋଟେଲକୁ ଯାଇଥିଲେ। ହୋଟେଲ୍ରେ ସେମାନେ ମଦ ପିଇଥିଲେ। କିନ୍ତୁ ପୀଡ଼ିତା ମଦ ପିଇବାକୁ ମନା କରିଥିଲେ। ତେଣୁ ଉଦିତ ତାଙ୍କୁ ମୃଦୁପାନୀୟ ପିଇବାକୁ କହିଥିଲା ।
ସେ କୌଶଳକ୍ରମେ ସେଥିରେ କୌଣସି ନିଶା ମିଶାଇ ତାଙ୍କୁ ପିଇବାକୁ ଦେଇଥିଲା। ମୃଦୁ ପାନୀୟ ପିଇବାର କିଛି ସମୟ ପରେ ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ତେଣୁ ତୁରନ୍ତ ଘରେ ଛାଡ଼ିଦେବାକୁ ସେ କହିଥିଲେ। ମାତ୍ର ଉଦିତ ଓ ଅନ୍ୟମାନେ ତାଙ୍କୁ ଯିବାକୁ ଦେଇ ନଥିଲେ। ଏହାପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କର ହୋସ୍ ଫେରିବା ବେଳକୁ ସେ ଦେଖିଲେ ଯେ ଉଦିତ ତାଙ୍କ ସହିତ କିଛି ଖରାପ କାମ କରିଛି ।