ଦୃଷ୍ଟିଶକ୍ତି ହରାଇବାରୁ ଦ୍ଵିତୀୟ ବିବାହ ପାଇଁ ଯୋଜନା କରୁଛି ସ୍ୱାମୀ

ବାଇକ୍‌ରେ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଆଖି ହରାଇଲେ ସ୍ତ୍ରୀ । ଆଉ ସ୍ତ୍ରୀର ଏହି ଅସହାୟ ଅବସ୍ଥାରେ ହାତ ଛାଡ଼ି ଦେଇଛି ଯବାନ ସ୍ଵାମୀ ।ଖାଲି ସ୍ତ୍ରୀର ହାତ ଛାଡ଼ି ଦେଇନାହିଁ ବରଂ ଆଖି ଚାଲି ଯାଇଥିବାରୁ ସ୍ଵାମୀର ମନ ବି ବଦଳି ଯାଇଛି । ସିଆରପିଏଫ୍ ଯବାନ ଥିବା ସ୍ଵାମୀ ଜଣଙ୍କ ଦ୍ଵିତୀୟ ବିବାହ କରିବାକୁ ଯାଉଥିବା ଅଭିଯୋଗ କରିଛନ୍ତି ପତ୍ନୀ । ନ୍ୟାୟ ଆଶାରେ ହତଭାଗିନୀ ସ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ ।

ଏ ହେଉଛନ୍ତି ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଭୋଳାଗଡ଼ିଆ ଗ୍ରାମର ମହିଳା ସୀତା ମାରାଣ୍ଡି । ଏବେ ବେସାହାରା ହୋଇପଡ଼ିଛନ୍ତି । ସଡ଼କ ଦୁର୍ଘଟଣାରେ ତାଙ୍କ ଦୃଷ୍ଟିଶକ୍ତି ଚାଲିଯିବା ପରେ ସାତଜନ୍ମର ସାଥୀ ହୋଇ ଜୀବନ ବିତାଇବାକୁ ଶପଥ ନେଇଥିବା ସିଆର୍ପିଏଫ୍ ଯବାନ ସ୍ୱାମୀ ହାତ ଛାଡ଼ିଦେଇଛନ୍ତି । ଚିକିତ୍ସା ନିମନ୍ତେ ଔଷଧ କିମ୍ୱା ଭରଣପୋଷଣ ପାଇଁ ସହଯୋଗ କରୁ ନ ଥିବାରୁ ଦିବ୍ୟାଙ୍ଗ ସାଜିଥିବା ମହିଳା ଜଣକ ଏବେ ନ୍ୟାୟ ପାଇଁ କରୁଛନ୍ତି ସଂଘର୍ଷ । ସେନା ଅଧିକାରୀଙ୍କଠାରୁ ଆରମ୍ଭକରି ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ବାପଘର ଲୋକେ ଝିଅକୁ ନ୍ୟାୟ ଦେବାପାଇଁ ଜିଲାପାଳଙ୍କ ଠାରେ ଗୁହାରୀ କରିଛନ୍ତି ।ସୀତାମଣିଙ୍କ କହିବା କଥା, ‘ଇତିମଧ୍ୟରେ ଗୁମୁଦା ପୁରା ସୁସ୍ଥ ହୋଇ କର୍ମକ୍ଷେତ୍ରକୁ ଫେରିଲେଣି । କିନ୍ତୁ ଆଖି ଚାଲିଯାଇଥିବାରୁ ମୋତେ ନେଉ ନାହାନ୍ତି କି ମୋର ଯତ୍ନ ନେଉ ନାହାନ୍ତି । ମେଡିକାଲ୍‌ରୁ ଫେରିବା ଦିନ ଠାରୁ ମୁଁ ମୋ ବାପଘରେ ରହୁଛି । ସ୍ଵାମୀ କହୁଛନ୍ତି, ତୁମେ କେଉଁ କୂଳର ହୋଇ ପାରିବ ନାହିଁ । ନା ଘର ସଂସାର କରି ପାରିବ ନା କିଛି କାମ କରିପାରିବ ।’ଦୁର୍ଘଟଣା ପର ଠାରୁ ସୀତାମଣି ତାଙ୍କ ବାପ ଘର ବଡ଼ଡାଳିଆ ଗାଁରେ ରହୁଛନ୍ତି । ଦୁର୍ଘଟଣା ପରେ ଦୃଷ୍ଟିଶକ୍ତି ହରାଇଥିବା ସୀତାମଣି ଏବେ ଭଲରେ ଖାଇ ବି ପାରୁ ନାହାନ୍ତି । ଜୀବନର ସବୁ ଆଶା ଭରସା ଭାବି ଯାହା ହାତ ଧରିଥିଲେ ଦୁର୍ଘଟଣାରେ ଆଖି ଚାଲିଯିବାରୁ ସେ ହାତ ଛାଡ଼ି ଦେଇଛି । ଆଉ ପରିଣତ ବୟସରେ ଏବେ ହତଭାଗିନୀ ଝିଅର ଆଶ୍ରା ପାଲଟିଛନ୍ତି ବାପାମାଆ । ସେପଟେ ବାପାମାଆଙ୍କ କାନ୍ଧରେ ସାନ ଭଉଣୀର ବାହାଘର ବୋଝ ରହିଥିବା ବେଳେ ଏବେ ବଡ଼ ଝିଅ ଆଖି ହରାଇ ଘରେ ରହିଛି ।

ଅଧିକ ପଢନ୍ତୁ

Odisha Darpan Digital