ଓଡ଼ିଶାର ଦୁଇଟି ଜିଲାରେ ସୁନା ଖଣି ମିଳିଛି, ଯେଉଁଥିରୁ ଗୋଟିଏ ବ୍ଲକ କେନ୍ଦ୍ର ଦ୍ୱାରା ନିଲାମ କରାଯିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି।ରାଜ୍ୟର ଦେବଗଡ ଓ କେନ୍ଦୁଝର ଜିଲ୍ଲାରୁ ଠାବ ହୋଇଛି ସୁନା ଖଣି । ରାଜ୍ୟରେ ସନ୍ଧାନ ମିଳିଥିବା ନୂଆ ସୁନାଖଣିର ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆଗଲାଣି କି ନାହିଁ ବୋଲି ବିଧାନସଭା ପ୍ରଶ୍ନ କାଳରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଅଶ୍ୱିନୀ କୁମାର ପାତ୍ର ।ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲାର ଆଡାସ ଏବଂ ଗୋପୁର ଅଞ୍ଚଳରେ ଯଥାକ୍ରମେ ସୁନା ଗଚ୍ଛିତ ମିଳିଛି।
ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (GSI) ଦେବଗଡ଼ ଜିଲାର ଆଡାସ ଅଞ୍ଚଳରେ ଜି -୨ ସ୍ତରରେ ଗବେଷଣା କରିଛି ଏବଂ ତମ୍ବା ସହିତ ସୁନା, ନିକେଲ, ରୂପା ଏବଂ ଗ୍ରାଫାଇଟ୍ ଖଣିଜ ପଦାର୍ଥ ପାଇଛି। ଯେହେତୁ ନିକେଲ ଏବଂ ଗ୍ରାଫାଇଟ୍ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ତେଣୁ ଉକ୍ତ ବ୍ଲକର ନିଲାମ ପ୍ରକ୍ରିୟା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ୱାରା କରାଯିବାର ଯୋଜନା କରାଯାଇଛି।କେନ୍ଦୁଝରରେ ଜି-୩ ସ୍ତରର ଅନୁସନ୍ଧାନ ସରିଛି । ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ମଧ୍ୟ ବାହାରିଛି । ଅନୁସନ୍ଧାନକାରୀ ସଂସ୍ଥାମାନେ ଚୂଡାନ୍ତ ରିପୋର୍ଟ ପ୍ରଦାନ କଲା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ