ଦେଶରେ ପ୍ରଥମ ‘ଇଚ୍ଛାମୃତ୍ୟୁ’କୁ ଅମୁମତି ଦେଲେ ସୁପ୍ରିମକୋର୍ଟ

ଜୀବନ ଓ ମୃତ୍ୟୁର ସୀମା ରେଖାରେ ୧୩ ବର୍ଷ ଧରି ଛଟପଟ ହେଉଥିବା ଜଣେ ଯୁବକଙ୍କ ପାଇଁ ଶେଷରେ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା ମର୍ମାହତ ଶୁଣାଣି କରିଛନ୍ତି । ଗାଜିଆବାଦର ୩୦ ବର୍ଷୀୟ ଯୁବକ ହରିଶ ରାଣାଙ୍କୁ ”ନିଷ୍କ୍ରିୟ ଇଚ୍ଛାମୃତ୍ୟୁ” ପାଇଁ ଅନୁମତି ପ୍ରଦାନ କରିଛନ୍ତି| କୋର୍ଟ କହିଛନ୍ତି ଯେ, ତାଙ୍କୁ ଏମ୍ସରେ ପାଲିଏଟିଭ୍ କେୟାରରେ ଭର୍ତ୍ତି କରାଯିବ ଯାହା ଦ୍ଵାରା ଚିକିତ୍ସା ପ୍ରତ୍ୟାହାର କରାଯାଇପାରିବ । ଭାରତରେ ଏହା ପ୍ରଥମ ମାମଲା । ଯେଉଁଠି ‘ଇଚ୍ଛାମୃତ୍ୟୁ’କୁ ସୁପ୍ରିମକୋର୍ଟ ମଞ୍ଜୁରୀ ମିଳିଛି ।ଘଟଣାଟି ଥିଲା ୨୦୧୩ ମସିହାର। ଚଣ୍ଡିଗଡ଼ରେ ପାଠ ପଢୁଥିବା ମେଧାବୀ ଛାତ୍ର ହରିଶ ନିଜ ହଷ୍ଟେଲର ଚତୁର୍ଥ ମହଲାରୁ ହଠାତ୍ ତଳକୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଯାହା ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ସେବେଠାରୁ ଦୀର୍ଘ ୧୩ ବର୍ଷ ଧରି ହରିଶ ଶଯ୍ୟାଶାୟୀ ହୋଇ ଅଚେତନ ଅବସ୍ଥାରେ ପଡ଼ି ରହିଥିଲେ। ଲଗାତାର ବିଛଣାରେ ପଡ଼ି ରହିବା ଯୋଗୁଁ ତାଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା ଏବଂ ସେ ୧୦୦% ଅକ୍ଷମ ହୋଇଯାଇଥିଲେ ।

ସୁପ୍ରିମକୋର୍ଟ ଏହି ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏମ୍ସରୁ ଏକ ବିଶେଷଜ୍ଞ ଦଳ ଗଠନ କରି ହରିଶଙ୍କ ସ୍ୱାସ୍ଥ୍ୟାବସ୍ଥାର ରିପୋର୍ଟ ମାଗିଥିଲେ। ଏମ୍ସର ରିପୋର୍ଟ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଡାକ୍ତରୀ ଦଳ ସ୍ପଷ୍ଟ କରିଥିଲେ ଯେ, ହରିଶଙ୍କ ସୁସ୍ଥ ହେବାର କୌଣସି ସମ୍ଭାବନା ନାହିଁ। ରିପୋର୍ଟ ପଢ଼ିବା ପରେ ଜଷ୍ଟିସ ପାରଦିୱାଲା କହିଥିଲେ, “ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ରିପୋର୍ଟ। ଜଣେ ବିଚାରପତି ଭାବେ ଏପରି ନିଷ୍ପତ୍ତି ନେବା ଆମ ପାଇଁ ଅତ୍ୟନ୍ତ କଷ୍ଟକର, କିନ୍ତୁ ମାନବିକତା ଦୃଷ୍ଟିରୁ ଏହି ଯନ୍ତ୍ରଣାର ଅନ୍ତ ହେବା ଆବଶ୍ୟକ ।”

ଅଧିକ ପଢନ୍ତୁ