ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଧାନସଂଗ୍ରହ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଧାନସଂଗ୍ରହ ପ୍ରକ୍ରିୟା ସ୍ୱଚ୍ଛ ଓ ସରଳ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ୱଚ୍ଛତା ବଜାୟ ରହିବା ସହ ସଂପୂର୍ଣ୍ଣ ପ୍ରକ୍ରିୟାକୁ ଦୁର୍ନୀତିମୁକ୍ତ କରିବା ନିମନ୍ତେ ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ କରାଯିବ । କୌଣସି ସୂଚନା ପାଇବା ପାଇଁ କିମ୍ବା ଅସୁବିଧାର ସମ୍ମୁଖୀନ ହେଲେ ଚାଷୀମାନେ ଟୋଲ୍ ଫ୍ରି ନଂ-୧୯୬୭କୁ ଫୋନ୍ କରିପାରିବେ । ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ୩୦ଟି ସିଟ୍ ଥିବା କଲ୍ ସେଣ୍ଟର ଖୋଲାଯାଇଛି ।
ଏହା ଖାଦ୍ୟଯୋଗାଣ ନିଗମ ଦ୍ୱାରା ପରିଚାଳିତ ହେବ । ଧାନମଣ୍ଡିରୁ ମିଲ୍ ପର୍ଯ୍ୟନ୍ତ ଧାନ ଯିବା ପାଇଁ ଟେଣ୍ଡର ବିଜ୍ଞପ୍ତି ଜାରି କରାଯାଇଛି । ସୂଚନା, ଶିକ୍ଷା ଓ ସଂଚାର ଅଭିଯାନ ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଯିବ । ଏହା ବ୍ୟତୀତ ପ୍ରତି ମଣ୍ଡି ଏବଂ ସୁଲଭ ମୂଲ୍ୟ ଦୋକାନରେ ଧାନସଂଗ୍ରହ ସଂପର୍କିତ ନିର୍ଦ୍ଦେଶାବଳୀ ପ୍ରଦର୍ଶିତ ହେବ । ଆସନ୍ତା ଦୁଇତିନିଦିନ ମଧ୍ୟରେ ଚାଷୀଙ୍କ ନିମନ୍ତେ ଉପଯୋଗୀ ନିର୍ଦ୍ଦେଶାବଳୀ ଏସ୍ଏମ୍ଏସ୍ ମାଧ୍ୟମରେ ପ୍ରେରଣ କରାଯିବ । ଧାନସଂଗ୍ରହ ପ୍ରକ୍ରିୟାକୁ ଦଲାଲ୍ମୁକ୍ତ କରିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲାସ୍ତରୀୟ ସଂଗ୍ରହ କମିଟିଗୁଡ଼ିକ ଗ୍ରାମ ତଥା ଜିଲ୍ଲାସ୍ତରରେ ଧାନସଂଗ୍ରହ କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରିବେ ।