ରାଜ୍ୟରେ ସରକାରଙ୍କ ପକ୍ଷରୁ ଧାନ କିଣା ଜାରି ରହିଛି। ଏହାରି ମଧ୍ୟରେ ସରକାର ସମୟସୀମା ଧାର୍ଯ୍ୟ କରିଛନ୍ତି। ଆସନ୍ତା ମାର୍ଚ୍ଚ ୩୧ ଡେଡ୍ ଲାଇନ୍ ଧାର୍ଯ୍ୟ କରିଛନ୍ତି ସରକାର। ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ସରିଛି। ଟାର୍ଗେଟରେ ୯୦ % ଧାନ ସଂଗ୍ରହ ହୋଇସାରିଲାଣି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ପୂର୍ବରୁ ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟକୁ ୬୫ ଲକ୍ଷ ମେଟ୍ରିକ୍ ଟନ୍ ରୁ ୭୭ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର।
ଚଳିତ ବର୍ଷ, କ୍ରୟ ସମୟରେ ଚାଷୀଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ମଣ୍ଡିଗୁଡ଼ିକରେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, ମଣ୍ଡିଗୁଡ଼ିକରେ ସିସିଟିଭି ବ୍ୟବସ୍ଥା ସହିତ ୩୮୮୩ ଜଣ ନୋଡାଲ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏହା ସହିତ, ବାହାର ଧାନ ଯାନଗୁଡ଼ିକ ଉପରେ କଡ଼ା ନଜର ରଖିବା ପାଇଁ ୨୧୭ଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଛି।ତେବେ ନଭେମ୍ବର ୨୧ରୁ ବରଗଡ଼ରୁ ଧାନ କିଣା ପକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟରେ ପ୍ରଥମ ଥର ଏମ୍ଏସ୍ପି ୨୩ଶହ ଟଙ୍କା ସହ ୮ଶହ ଟଙ୍କା ଇନ୍ପୁଟ୍ ସହାୟତା ରାଶି ସହ ଚାଷୀଙ୍କ ଠାରୁ କୁଇଣ୍ଟାଲ୍ ପିଛି ୩୧ଶହ ଟଙ୍କାରେ ଧାନ କିଣୁଛନ୍ତି ରାଜ୍ୟ ସରକାର। ଆଉ ୩୫ ଦିନ ପରେ ଧାନ କିଣିବେନି ସରକାର।