ପୂର୍ବରୁ ଚକୁଳିଆ ପଣ୍ଡାମାନେ ଯେଉଁଭଳି ଗାଁ ଗାଁ ବୁଲି ଭିକ୍ଷା ଗ୍ରହଣ କରୁଥିଲେ, ବର୍ତ୍ତମାନ ଧିରେ ଧିରେ ଏହି ବୃତ୍ତି ଦେଖିବାକୁ ମିଳୁନାହିଁ । ଏହା ପାରମ୍ପରିକ ଭାବେ ପୂର୍ବରୁ ଚାଲି ଆସୁଥିଲା । ବର୍ତ୍ତମାନ ସମୟରେ ଏହା ବେଳେବେଳେ ହିଁ ଦେଖିବାକୁ ମିଳୁଛି । ଚକୁଳିଆ ପଣ୍ତାମାନେ ପୂର୍ଣ୍ଣିମା, ସଂକ୍ରାନ୍ତି, ଅମାବାସ୍ୟା ଆଦି ସମୟରେ ବର୍ଷରେ ଥରେ ଦୁଇଥର ଗାଁ ଗୁଡିକୁ ଆସି ଦୁଆର ଦୁଆର ବୁଲି ଗୀତ ଗାଇ ଭିକ ମାଗି ଚଳିଥାନ୍ତି । ଉତ୍କଳ ମାଟିର କୋଣ ଅନୁକୋଣରେ ଏମାନେ ବେଶ ପରିଚିତ ଥିଲେ। ଉତ୍କଳର ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାରେ ଏମାନଙ୍କ ଭୂମିକା ଥିଲା ଗୁତୁତ୍ୱପୂର୍ଣ୍ଣ। ହେଲେ ଆଧୁନିକତାର ଚାକଚକ୍ୟରେ ଏମାନଙ୍କ ଉତ୍ତରାଧିକାରୀ ମାନେ ଆଉ ଏହି କୂଳ ବେଉସା ପ୍ରତି ଅକୃଷ୍ଟ ହେଉନାହାନ୍ତି। ଏଥିପାଇଁ ଆଉ ଆମ ଗାଁ ଦାଣ୍ଡରେ ଦେଖାଯାଉନାହାନ୍ତି ‘ଚକୁଳିଆପଣ୍ଡା’।ଦେହରେ ଗେରୁଆ ବସ୍ତ୍ର, ମୁଣ୍ଡରେ ପଗଡ଼ି, ହାତରେ ତାଳପତ୍ର ଛତା, କାନ୍ଧରେ ଝୁଲାମୁଣି, ହାତରେ ପିତଳ ଢାଳ ଧରି ଖାଲି ପାଦରେ ଚାଲିଚାଲି ଦୁଆର ଦୁଆର ବୁଲନ୍ତି। ତୁଣ୍ଡରେ ନାନାଦି ଭଙ୍ଗୀର ପୌରାଣିକ କଥା କବିତା ମାଧ୍ୟମରେ ଗାଇ ଗାଇ ଗାଁରେ ଏ ମୁଣ୍ଡରୁ ସେ ମୁଣ୍ଡ ସାତଥର ବୁଲନ୍ତି। ବୁଲିବା ବେଳେ ଯିଏ ଯାହା ଦେଲା ତାକୁ ସାଦରେ ଗ୍ରହଣ କରି ଚାଲିଯାଆନ୍ତି। ତୁଣ୍ଡରେ ଅହରହ ରାମ ନାମ, ପୌରାଣିକ କଥାବସ୍ତୁ ସହିତ କେତେ ଭଙ୍ଗୀର କବିତା ଲୋକମାନଙ୍କୁ ବେଶ ଆକୃଷ୍ଟ କରିଥାଏ। ପୌରାଣିକ କବିତାକୁ ଶୁଣି ସାଧାରଣ ଲୋକମାନଙ୍କ ମନରେ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେଉଥିଲା। ଯାହାଦ୍ୱାରା ଯୁବବର୍ଗ ସହିତ ମଧ୍ୟମ ବର୍ଗର ବ୍ୟକ୍ତିମାନେ ଧର୍ମ ଓ ସଂସ୍କୃତି ପ୍ରତି ଅକୃଷ୍ଟ ହେଉଥିଲେ। ପିଲାମାନେ ଚକୁଳିଆ ପଣ୍ଡା କବିତା ଶୁଣିବା ପରେ ଘରେ ଜେଜେବାପାଙ୍କୁ ମହାଭାରତ ଓ ରାମାୟଣ ତଥା ପୌରାଣିକ କଥାବସ୍ତୁ ବିଷୟରେ ଅଧିକ ଜାଣିବା ପାଇଁ ପଚାରୁଥିଲେ। ଏହା ସହିତ ଲୋକମାନେ ଦାନଧର୍ମ କରିବାର ସୁଯୋଗ ମଧ୍ୟ ପାଉଥିଲେ। କିମ୍ବଦନ୍ତୀ ଅନୁଯାୟୀ ଚକୁଳିଆ ପଣ୍ଡାମାନେ ପର୍ଶୁରାମଙ୍କ ବଂଶଧର ଏବଂ ରାମଙ୍କ ଅଭିଶାପରୁ ଭିକ୍ଷା ମାଗନ୍ତି । ଆଉ ଏକ କିମ୍ବଦନ୍ତୀ ଅନୁସାରେ ଭୀମ ବିରାଟ ଭବନରେ ଛଦ୍ମବେଶରେ ଅଜ୍ଞାତବାସ କରିବା ସମୟରେ ବିରାଟ ରାଜାଙ୍କର ପାଚକ ରୂପରେ ବଲ୍ଲଭ ପଣ୍ଡା ନାମ ଧରିଥିଲେ । ସେହି ସମୟରେ ସେ ଦେଶ ଦେଶ ବୁଲି ଚକ୍ର ଭିକ୍ଷା କରୁଥିଲେ । ଭିକ୍ଷାନ୍ନ ସଂଗ୍ରହାର୍ଥେ ଚକୁଳିଆ ପଣ୍ଡାମାନେ ଗାଁର କାହାର ଦ୍ଵାରସ୍ଥ ନ ହୋଇ ଗାଁ ଦାଣ୍ଡରେ ତିନି ଥର ବୁଲି ଯାଉଥିଲେ ଓ ଯିଏ ଯାହା ଦେଉଥିଲେ ଖୁସିରେ ନେଉଥିଲେ । ତାଙ୍କ ସଙ୍ଗେ ଚକ୍ର ଭିକ୍ଷା ସମୟରେ ଯେଉଁ ବ୍ରାହ୍ମଣମାନେ ଯୋଗ ଦେଇଥିଲେ ଆଧୁନିକ ଚକୁଳିଆ ପଣ୍ଡାମାନେ ସେମାନଙ୍କ ବଂଶଧର ଅଟନ୍ତି ବୋଲି କୁହାଯାଏ ।
