ଜବ୍ କାର୍ଡ ଜାଲିଆତିକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସାରା ଦେଶରେ ନକଲି ଜବ୍ କାର୍ଡ ହାତେଇବାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବିହାର ପ୍ରଥମ ସ୍ଥାନରେ ରହିଛି । ତୃତୀୟରେ ଆସାମ ଏବଂ ଚତୁର୍ଥରେ ଛତିଶଗଡ଼ ରହିଛି । ଓଡ଼ିଶାରେ 66 ଲକ୍ଷରୁ ଅଧିକ ଜବ୍ କାର୍ଡ ପାଇଛନ୍ତି । ସେଥିରୁ 43 ଲକ୍ଷ ଆକ୍ଟିଭ ଅଛନ୍ତି ।ସାଂସଦ ମାଳା ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କମଳେଶ ପାସୱାନ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୨ରୁ ୨୦୨୫ ମଧ୍ୟରେ ସାରା ଦେଶରେ ୧୧ ଲକ୍ଷରୁ ଅଧିକ ନକଲି ଜବ୍ କାର୍ଡକୁ ବାତିଲ କରାଯାଇଛି । ବିଭିନ୍ନ କାରଣରୁ ଯେପରିକି ନକଲି କାର୍ଡ, ନକଲି ହିତାଧିକାରୀ, ପଞ୍ଚାୟତରୁ ସ୍ଥାୟୀ ଭାବେ ସ୍ଥାନାନ୍ତର ହୋଇଥିବା ପରିବାର ଏବଂ ମୃତ ବ୍ୟକ୍ତିଙ୍କ ନାମରେ ଥିବା କାର୍ଡଗୁଡ଼ିକୁ ବାତିଲ କରାଯାଇଥାଏ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
