ନକଲି ସୁନା ଦେଖାଇ ୧୬ ଲକ୍ଷ ଟଙ୍କା ନେଇଗଲେ

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ନକଲି ସୁନା ବିସ୍କୁଟ କାରବାର ଅଭିଯୋଗ । ଏହାର ଚେର ଗଞ୍ଜାମ, କେନ୍ଦ୍ରାପଡା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲମ୍ବିଛି।ନକଲି ସୁନା ଦେଖାଇ ଫସାଇଲେ । ବିଶ୍ବାସ ଜନ୍ମାଇ ଗଞ୍ଜାମର ଜଣେ ବେପାରୀଙ୍କଠାରୁ ୧୬ଲକ୍ଷ ଲୁଟିଲେ ।  ଅଭିଯୋଗ ପରେ  ୪ ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ନିକଟରୁ ୬୮ ହଜାର ଟଙ୍କା ଓ ୨ଟି ବାଇକ୍ ଜବତ କରାଯାଇଛି ।ସୂଚନା ମୁତାବକ, ନୀଳଗିରି ଏନଏସିରେ ଜଣେ ଯୁବକ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ବେପାର ବଢାଇଛନ୍ତି । ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଧିନ ସେବକନଗର ଗାଁର କୃଷ୍ଣ ନାୟକ ଲୋଭରେ ପଡି ଧାର କରଜ କରି ବଡ଼ ଲୋକ ହେବା ଆଶାରେ ଶସ୍ତାରେ ସୁନା ବିସ୍କୁଟ ନେବାକୁ ନୀଳଗିରି ଆସିଥିଲେ । ବାଣପୁର ଅଞ୍ଚଳର ବିଷ୍ଣୁ ମହାନ୍ତି ନାମକ ଯୁବକ ତାଙ୍କୁ ନକଲି ବିସ୍କୁଟ ଦେଖାଇ କିଛି ସ୍ଥାନରୁ ଡ୍ରିଲ କରି ଗୁଣ୍ଡ ପରୀକ୍ଷା କରିବାକୁ କୃଷ୍ଣ ନାୟକଙ୍କଠାରୁ ୬ ହଜାର ଟଙ୍କା ନେଇ ଗୁଣ୍ଡ ଦେଇଥିଲେ। ପରେ କୃଷ୍ଣ ନାୟକ ସୁନା ଦୋକାନକୁ ଯାଇ ସେହି ଗୁଣ୍ଡ ଗୁଡିକ ଅସଲି ନା ନକଲି ତାହା ଯାଞ୍ଚ କରିଥିଲେ । ସେଗୁଡ଼ିକ ସୁନା ବୋଲି ଜାଣିବା ପରେ ତାଙ୍କୁ ବିଶ୍ୱାସ ଆସିଥିଲା । ଏହାପରେ ୧୬ ଲକ୍ଷ ଟଙ୍କା ନେଇ ନୀଳଗିରି ଆସିବା ପରେ ବିଷ୍ଣୁ ମହାନ୍ତି କିଛି ଯୁବକଙ୍କ ସାହାଯ୍ୟରେ ଟଙ୍କା ଛଡାଇ ନେଇ ଆଉ ବିସ୍କୁଟ ଦେଇନଥିଲେ । ଏପରିକି ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ ।କୃଷ୍ଣ ବରହମପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।ଘଟଣାରେ ଆଉ କିଏ କିଏ ସାମିଲ ରହିଛନ୍ତି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଅଧିକ ପଢନ୍ତୁ