ନକ୍ସଲଙ୍କ ବନ୍ଧୁକ ତିଆରି କାରଖାନା ଠାବ ।

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଠାବ ହେଲା ନକ୍ସଲଙ୍କ ବନ୍ଧୁକ ତିଆରି କାରଖାନା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ସିଆରପିଏଫ କୋବ୍ରା ଯବାନ ଓ ଡିଆରଜି ଯବାନଙ୍କ କୋମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ବନ୍ଧୁକ ଓ ବିସ୍ପୋରକ ତିଆରି କାରଖାନା ଠାବ ହୋଇଛି।ଚିନ୍ତବାଗୁ ନଦୀ ତଟରେ ମାଓବାଦୀଙ୍କ ଏହି ଅସ୍ତ୍ର କାରଖାନା ଦେଖିବାକୁ ମିଳିଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ବଡ଼ ଯୋଜନା କରୁଥିଲେ । ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର ପାଇଁ ବଡ଼ ହିଂସାକାଣ୍ଡ ଘଟାଇବା ମଧ୍ୟ ସେମାନଙ୍କ ଯୋଜନା ଥିଲା। ତେବେ ମାଓ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାବାହିନୀ। ଅନ୍ୟପକ୍ଷେ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡ଼ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଯେଉଁଥିରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ନାରାୟଣପୁର ପାଖ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା କୁମ୍ବିଂ ଅପରେସନ । ନାରାୟଣପୁର ଜିଲ୍ଲା ତୋୟମେଟା ଏବଂ କଓ୍ୱାନାର ମଧ୍ୟବର୍ତ୍ତୀ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଯାଉଥିବା ବେଳେ ହଠାତ୍‌ ଜୋରଦାର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଣେ ଡିଆର୍‌ଜି ଯବାନ ଆହତ ହୋଇଥିଲେ । ତୁରନ୍ତ ସାଥୀମାନେ ଆହତ ଯବାନଙ୍କୁ କାନ୍ଧରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପ୍ରଥମେ ଆହତ ଯବାନଙ୍କୁ ନାରାୟଣପୁର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ , ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟପୁର ସ୍ଥିତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ପୂର୍ବରୁ ଏହି ଲ୍ୟାଣ୍ଡମାଇନ୍‌ ଲଗାଇଥିଲେ ବୋଲି ସୂଚନା ରହିଛି ।

ଅଧିକ ପଢନ୍ତୁ