ଗାଧୋଇବାକୁ ଯାଇ ଜଣେ ନାବାଳକଙ୍କ ହାତ ପଥର ସନ୍ଧିରେ ପଶିଯିବାରୁ ଦୀର୍ଘ ୮ ଘଣ୍ଟା ପରିଶ୍ରମ ପରେ ହାତ ବାହାରିଛି। ଗଜପତି ଜିଲା ଆର. ଉଦୟଗିରି ଥାନା ତିଳିଗାଆଁରେ ଘଟିଛି ଏହି ଘଟଣା ସୂଚନାମୁତାବକ ସବୁଦିନ ପରି ନଦୀକୁ ଗାଧୋଇବାକୁ ଯାଇଥିଲା ନାବାଳକ । ଗାଧୋଇବା ସମୟରେ ହାତରୁ ଖସି ପାଣିରେ ପଡିଯାଇଥିଲା ସାବୁନ୍ । ଆଉ ସାବୁନ୍ ଟିକୁ ବାହାର କରୁଥିବା ସମୟରେ ନଦୀ ଭିତରେ ଥିବା ପଥର ସନ୍ଧିରେ ଫସି ରହିଗଲା ନାବାଳକର ହାତ । ହାତଟି ସତ ଚେଷ୍ଟା ପରେ ବି ଆଉ ବାହାରିନଥିଲା ।ଏକଥା ଜାଣିବା ପରେ ନଦୀ କୂଳରେ ଜମିଥିଲା ଲୋକଙ୍କ ଗହଳି । ଗ୍ରାମବାସୀଙ୍କ ଅନେକ ପ୍ରୟାସ ପରେ ମଧ୍ୟ ନାବାଳକକୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା । ପରେ ଆର.ଉଦୟଗିରି ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ନାବାଳକକୁ ଉଦ୍ଧାର କରାଯାଇପାରିନଥିଲା । ଶେଷରେ ଜେସିବି ମେସିନ୍ ସାହାଯ୍ୟରେ ପଥରକୁ ଘୁଞ୍ଚାଇ ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ନାବାଳକକୁ ଉଦ୍ଧାର କରାଯାଇଥିଲା । ଦୀର୍ଘ ସାତ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନାବାଳକକୁ ସୁରକ୍ଷିତ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିବା ଜଣାପଡିଛି ।ଡାକ୍ତର ତାଙ୍କ ସାସ୍ଥ୍ୟ ପରୀକ୍ଷା କରି ସ୍ବାସ୍ଥ୍ୟବସ୍ଥା ଠିକ ଥିବା କହିବା ପରେ ପରିବାର ଲୋକେ ଆଶ୍ୱସ୍ଥ ହୋଇଥିଲେ।
