ନନ୍ଦନକାନନରେ ନୂଆ ଅତିଥି ,ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜୀବଜନ୍ତୁ ସୁରକ୍ଷା ନିମନ୍ତେ ଆଗୁଆ ପ୍ରସ୍ତୁତି

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟନରେ ଏବେ ପର୍ଯ୍ୟଟକମାନେ ନୂଆ ପକ୍ଷୀ ଡେମାଇସେଲ୍ କ୍ରେନ୍ ଦେଖ‌ିବାର ସୁଯୋଗ ପାଇବେ । ଏହାସହିତ କଲରାପତରିଆ ବାଘ ସାଙ୍ଗକୁ ନାଲି ଜଙ୍ଗଲୀ କୁକୁଡ଼ା ମଧ୍ୟ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଏହିସବୁ ପକ୍ଷୀ ଆସିବାପରେ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି ପାଇଛି ।ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ଗୁଜୁରାଟ ଜୁନାଗଡ଼ ପ୍ରାଣୀ ଉଦ୍ୟାନ ମଧ୍ୟରେ ବନ୍ୟପ୍ରାଣୀ ଅଦଳବଦଳ ହୋଇଛି । ରବିବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ଗାଡ଼ିରେ ୩ ପ୍ରଜାତିର ୧୮ ଟି ଜୀବଜନ୍ତୁ ନନ୍ଦନକାନନ ଆସିଛନ୍ତି । ସେଥିରେ ଦୁଇ ଯୋଡ଼ା ଡେମାଇସେଲ୍ କ୍ରେନ୍, ଦୁଇ ଯୋଡ଼ା କଲରାପତରିଆ ବାଘ ଓ ୫ ଯୋଡ଼ା ନାଲି ଜଙ୍ଗଲୀ କୁକୁଡ଼ା ଅଛନ୍ତି । ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନିରୀକ୍ଷଣ ଗୃହରେ ରଖାଯାଇଛି । ଅନ୍ୟପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନନ୍ଦନକାନ କର୍ତ୍ତୃପକ୍ଷ ଜୀବଜନ୍ତୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଖୁଆଡ଼ ଭିତରେ ଲଗାଯାଉଛି ଫ୍ୟାନ ଓ କୁଲର । ଜୀବଜନ୍ତୁଙ୍କ ଦରକାର ଅନୁଯାଇ ଥଣ୍ଡା ପାନୀୟ, ଓଆରଏସ୍ ପାଣି, ଆଖୁରସ, ତରଭୂଜ ଓ ଆଇସକ୍ରିମ ଫଳ ଖାଇବାକୁ ଦିଆଯାଉଛି ।ହାତୀକୁ ଖରା ପ୍ରକୋପରୁ ରକ୍ଷା କରିବା ପାଇଁ ମୁଣ୍ଡରେ ଜଡ଼ା ତେଲ ଲଗାଯାଉଛି । ଖୁଆଡ଼ ପୁଷ୍କରିଣୀରେ ଗାଧୋଇ ଦେବା ସହିତ ଖୁଆଡ଼ରେ ସ୍ପିଙ୍କଲର ଲଗାଯାଇଛି । ଖରା ବଢ଼ିଲେ ସିଞ୍ଚନ କରାଯିବ । ସେହିପରି ପ୍ରାଣୀ ଉଦ୍ୟାନର ମୁଖ୍ୟ ଆକର୍ଷଣ ସାଜିଥିବା ତିନୋଟି ଜିରାଫ୍ ପାଇଁ ଖୁଆଡ ଭିତରେ ଓ ବାହାରେ ସ୍ପ୍ରିଙ୍କଲର୍ ଲଗାଯାଇଛି । ମଣିଷ ପରି ଗରମ ସହି ପାରୁନଥୁବା ଜନ୍ତୁଙ୍କ ମଧ୍ୟରେ ରହିଛନ୍ତି ସିମ୍ପାଞ୍ଜି, ହୁଲୁକ ଗିବନ, ବିଦେଶୀ ମାଙ୍କଡ଼ । ସେମାନଙ୍କୁ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେଇଛନ୍ତି । ଖୁଆଡ଼ରେ ଫ୍ୟାନ ଓ କୁଲର ଲଗାଯାଇଛି । ଖାଇବାକୁ ତରଭୁଜ, କାକୁଡ଼ି ସହିତ ଓଆରଏସ୍ ପାଣି ପିଇବାକୁ ଦିଆଯାଉଛି । ତୃଣଭୋଜି ପ୍ରାଣୀମାନଙ୍କ ପାଇଁ ଖୁଆଡ଼ ମଧ୍ୟରେ ଛାଇ କରାଯାଇଛି । ବଡ଼ କୁଣ୍ଡ କରାଯାଇ ପ୍ରଚୁର ଥଣ୍ଡା ପାଣିର ବ୍ୟବସ୍ଥା କରାଯାଇଛି ।ପକ୍ଷୀମାନଙ୍କ ଖୁଆଡ଼ ଉପରେ ନଡ଼ା ପକାଯାଇଛି । ଖୁଆଡ଼ ଥଣ୍ଡା ରଖିବା ପାଇଁ ଫୁଗର ଲଗାଯାଇଛି ।

ଅଧିକ ପଢନ୍ତୁ