ନୂଆ ରୂପ ନେବ ସଂଗଠନ । ଛାମୁଆ ସଂଗଠନରେ ନୂଆ ଉତ୍ସାହ ଭରାଯିବ । ଆଗକୁ ବଢ଼ିବାକୁ କସରତ ଆରମ୍ଭ କରି ଦେଇଛି ଦଳ । ଲୋକଙ୍କ ଆସ୍ଥା ଫେରି ପାଇବାକୁ ବିଜେଡି ତିଆରି କରୁଛି ରଣନୀତି ।ନବୀନ ଆଲୋଚନା ସମୟରେ କହିଛନ୍ତି ଯେ ଓଡ଼ିଶାବାସୀ ଆମକୁ ୨୪ବର୍ଷ ଧରି ନିରନ୍ତର ଭାବେ ଆଶୀର୍ବାଦ ଦେଇଛନ୍ତି। ସେଥିପାଇଁ ଆମେ ସମେସ୍ତ ଓଡ଼ିଶାବାସୀଙ୍କ ନିକଟରେ ଋଣୀ। ଆଗକୁ ଏହି କଠିନ ପରିଶ୍ରମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ଆସନ୍ତା ନଭେମ୍ବର ମାସରୁ ନବୀନ ଏହି ଯାତ୍ରା ଆରମ୍ଭ କରିବେ ।
ତୃଣମୂଳସ୍ତରର ନେତା ଓ କର୍ମୀଙ୍କୁ ଭେଟିବେ । ବଡ଼ କଥା ହେଲା, ତୃଣମୂଳ ସ୍ତରର ନେତା ଓ କର୍ମୀ ନବୀନଙ୍କ ପାଖକୁ ଆସିବେନି, ନିଜେ ନବୀନ ସେମାନଙ୍କ ପାଖକୁ ଯାଇ ଆଲୋଚନା କରିବେ । ସେମାନଙ୍କ ଭିତରେ ନୂଆ ଉତ୍ସାହ ଭରିବେ । ସଂଗଠନର ଭଲ ମନ୍ଦ ନେଇ ଆଲୋଚନା କରିବେ । ଏଥିରେ ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିବା, ଦଳର ଛାତ୍ର, ଯୁବ, ମହିଳା ଆଦି ଛାମୁଆ ସଂଗଠନକୁ ଗଠନ କରିବାକୁ କୁହାଯାଇଛି। ଅକ୍ଟୋବର ୨ରୁ ପ୍ରତିବର୍ଷ ଭଳି ଏକ ମାସବ୍ୟାପୀ ପଦଯାତ୍ରା ଆରମ୍ଭ କରିବାକୁ କୁହାଯାଇଛି।