ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ମାସ ୩୦ ତାରିଖରୁ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଓଡ଼ିଶା ଚେସ ଆସୋସିଏସନର ଅନୁମୋଦନ କ୍ରମେ ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଳବ, ନୟାଗଡ଼ ମିଳିତ ଆନୁକୂଲ୍ୟରେ ନଭେମ୍ବର ୩୦ ଏବଂ ଡିସେମ୍ବର ୧, ଦୁଇଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ କେସି କ୍ଳବ ପରିସରରେ ଅନୁଷ୍ଠିତ ହେବ। ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉଭୟ ଜୁନିଅର ଏବଂ ସିନିଅର ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଜୁନିଅର ବିଭାଗ ଏବଂ ଦଶମ ଶ୍ରେଣୀରୁ ଉର୍ଦ୍ଧ୍ୱ ପିଲାମାନେ ସିନିଅର ବିଭାଗରେ ଅଂଶ ଗ୍ରହଣ କରି ପାରିବେ। ଉଭୟ ବିଭାଗରୁ ବିଜୟୀ ପ୍ରଥମ ୫ ଜଣଙ୍କୁ ପୁରସ୍କୃତ କରାଯିବା ସହିତ ସମସ୍ତ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯିବ । ସ୍ଥାନୀୟ କେସି କ୍ଳବ ପରିସରରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କେସି କ୍ଳବ ସଭାପତି ଭାଗିରଥି ଦାସ, ଜିଲ୍ଲା ଚେସ ଆସୋସିଏସନ ସମ୍ପାଦକ ରିତେଶ ରଥ, କୋଷାଧକ୍ଷ ତାରୁନ ଖାଁ, ମିଡ଼ିଆ ସଂଯୋଜକ ଲକ୍ଷ୍ମୀଧର ସାହୁ ଏବଂ ଵାଲାରସେନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।