ଉତ୍ତର ପ୍ରଦେଶର ମଥୁରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ଏକ ନାଗ ସାପ କାମୁଡ଼ି ଦେଇଥିଲା ଏବଂ ସେ ଜୀବନ୍ତ ନାଗସାପକୁ ଧରି ଡାକ୍ତରଖାନାକୁ ଯାଇଥିଲେ । ଡାକ୍ତର କ’ଣ ହୋଇଛି ବୋଲି ପଚାରିବାରୁ, ବ୍ୟକ୍ତି ଜଣକ ତାଙ୍କ ପକେଟରୁ ଜୀବନ୍ତ ନାଗସାପ ବାହାର କରି ଡାକ୍ତରଙ୍କୁ କହିଲେ ଯେ ଏହି ସାପ କାମୁଡ଼ି ଦେଇଛି । ସାପଟି ଦେଖିବା ପରେ ଡାକ୍ତରଖାନାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମଥୁରା-ବୃନ୍ଦାବନ ରୋଡର ପିଏମବି ପଲିଟେକ୍ନିକ୍ ନିକଟରେ ଇ-ରିକ୍ସା ଚାଳକ ଦୀପକ ରାଜପୁତ ଗାଡି ଧରି ଫେରୁଥିଲେ। ହଠାତ୍ ଏକ ନାଗ ସାପ ତାଙ୍କ ଇ-ରିକ୍ସା ଉପରେ ଚଢ଼ିଗଲା ଏବଂ ତାଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଲା।
ଜଣେ ସାଧାରଣ ଲୋକ ଏ ଅବସ୍ଥାରେ କ’ଣ କରିବ? ଚିତ୍କାର କରିବ, ସାପକୁ ମାରିଦେବ, ନଚେତ୍ ଦୌଡ଼ି ପଳାଇଯିବ। କିନ୍ତୁ ଦୀପକ ସେପରି କରିନଥିଲେ । ସାପ ତାଙ୍କୁ କାମୁଡ଼ିଲା ଏବଂ ଦୀପକ ତୁରନ୍ତ ହାତରେ ତାକୁ ଧରି ପକାଇଲେ। ତା’ପରେ କିଛି ନ ଭାବି ସେ ତାକୁ ତାଙ୍କ ଜ୍ୟାକେଟ୍ ପକେଟରେ ରଖି ସିଧା ମଥୁରା ଜିଲ୍ଲା ହସ୍ପିଟାଲର ଜରୁରୀକାଳୀନ ୱାର୍ଡକୁ ଚାଲିଲେ। ଜରୁରୀକାଳୀନ ୱାର୍ଡରେ ପ୍ରବେଶ କରିବା ମାତ୍ରେ ହଇଚଇ ଖେଳିଗଲା । ଡାକ୍ତର କହିଲେ ଯେ ସେ ଏହାକୁ ଛାଡିଦେଲେ ହିଁ ତାଙ୍କର ଚିକିତ୍ସା କରିବେ। ଦୀପକ କ୍ରୋଧିତ ହୋଇଗଲେ ଏବଂ ହାତରେ ସାପକୁ ଧରି ହଇଚଇ ସୃଷ୍ଟି କରିବାକୁ ଲାଗିଲେ ।ସାପର ଭୟରେ ଡାକ୍ତରଖାନାରେ କୋଳାହଳ ପରିସ୍ଥିତି ସୃଷ୍ଟି ହେଲା। ଦୀପକଙ୍କ ହାତରେ ସାପ ଦେଖି ପୋଲିସ କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଦୀପକ ସାପକୁ ଛାଡିବା ପରେ ଡାକ୍ତରମାନେ ଚିକିତ୍ସା କରିଥିବା ଜଣାପଡ଼ିଛି । ଦୀପକ ପରେ ପ୍ରକାଶ କରିଥିଲେ ଯେ ତାଙ୍କୁ ପିଲାବେଳେ ଅନେକ ଥର ସାପ କାମୁଡ଼ିଥିଲା।
