ପୁରୀ ଜିଲ୍ଲା ବଳଙ୍ଗା ଥାନାର ସାହାଡ଼ା ପଡ଼ା ଗାଁରେ ନାଲି ପିମ୍ପୁଡ଼ି ଆତଙ୍କ । ଯୁଆଡ଼େ ଦେଖିଲେ ଖାଲି ପୁଳା ପୁଳା ନାଲି ପିମ୍ପୁଡ଼ି । ପୂରା ଗାଁରେ ମାଳ ମାଳ ନାଲି ପିମ୍ପୁଡ଼ି । ଘର, ଗଛ ଓ ବିଲା ବାଡ଼ିରେ ମାଡ଼ିଗଲେଣି । କାମ ଦେଉନି କୀଟନାଶକ । କେବଳ ଲୋକମାନେ ନୁହନ୍ତି ଗାଈ, ଗୋରୁ, ଛେଳି ଓ ମେଣ୍ଢା ପିମ୍ପୁଡ଼ିଙ୍କ କବଳରୁ କେହି ବାଦ ପଡ଼ୁ ନାହାନ୍ତି । ପିମ୍ପୁଡିମାନେ ଚାରିଆଡ଼େ ସାଲୁବାଲୁ ହେବା ସହ କାମୁଡ଼ି ପକାଉଛନ୍ତି।
ଫଳରେ କୁଣ୍ଡେଇ ହୋଇ ଦେହରେ ଫଳି ଯାଉଛି। ପିମ୍ପୁଡିଙ୍କ ପ୍ରାଦୁର୍ଭାବରୁ ଗୁହାଳରେ ଗାଈଗୋରୁ ରହିବା ମଧ୍ୟ କଷ୍ଟକର ହୋଇପଡିଛି। ଗଛ ର ମୁଳରୂ ଶେଷ ଯାଏଁ ପିମ୍ପୁଡ଼ି ମାଳ ମାଳ ହୋଇ ରହିଛନ୍ତି। ଗ୍ରାମାସିନି ଓ କୀଟନାଶକ ଔଷଧ ପକାଇଲେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।ଏଥିପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଏନେଇ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।