ନିଖୋଜର ୮ମାସ ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା, ପ୍ରେମିକକୁ ଗିରଫ କଲା ପୋଲିସ

ତ୍ରିକୋଣୀୟ ପ୍ରେମକୁ ନେଇ ସନ୍ଦେହ ହେଲା କାଳ । ପ୍ରେମିକାକୁ ବୁଲାଇ ନେବାକୁ କହି ତଣ୍ଟି ଚିପି ହତ୍ୟା କଲା ପ୍ରେମିକ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ପଥର ଖଣିରେ ପୋତିଦେଲା । ଏଭଳି ଛାତିଥରା ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ନିଜିଗଡ଼ ତାପଙ୍ଗ ଅଞ୍ଚଳରେ । ତେବେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ଏ ନେଇ ଶନିବାର ପୋଲିସ କମିଶନର ଏସ. ଦେବଦତ୍ତ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦେବାଶିଷ ହିଁ ଯୁବତୀଙ୍କୁ ସେଠାକୁ ନେଇ ହତ୍ୟା କରି ଫିଙ୍ଗିଥିବା ପୁଲିସ ନିକଟରେ ସ୍ଵୀକାର କରିଛି । ମୃତ ଯୁବତୀ ଜଣକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ହରିପୁର ଅଞ୍ଚଳର ନିରୁପମା ପରିଡ଼ା । ୭ ମାସ ପରେ ଭରତପୁର ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତାପଙ୍ଗ ପଥର ଖଣିରୁ ଯୁବତୀଙ୍କ କଙ୍କାଳ ଜବତ ପରେ ଘଟଣା ପଦାକୁ ଆସିଛି । ଅଭିଯୁକ୍ତ ଯୁବକ ରଣପୁର ମଝିଆଖଣ୍ଡ ଅଞ୍ଚଳର ଦେବାଶିଷ ବିଶିକୁ ପୁଲିସ ଗିରଫ କରିଛି । ଆଜି ତାକୁ କୋର୍ଟ ଚାଲାଣ କରାଯିବ । ଏହା ସହ କଙ୍କାଳକୁ ପରୀକ୍ଷା ପାଇଁ ଏମ୍‌ସ ପଠାଯାଇଛି । ମୃତଦେହ କେଉଁଠି ଫିଙ୍ଗିଥିଲା ସେ ନେଇ ଦେବାଶିଷ ପୋଲିସ ସହ ଘଟଣାସ୍ଥଳକୁ ଯାଇ ଦେଖାଇଥିଲା ।

ଅଧିକ ପଢନ୍ତୁ