ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦୟାନିଧି ପୁର ପଞ୍ଚାୟତ ବଡ଼ିଆଓସ୍ତା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ବୃଦ୍ଧ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଘର ଭିତରେ ନିଜେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମଦାହ କରିଛନ୍ତି।ସୁଇସାଇଡ ନୋଟ ମିଳିଥିବା ସୂଚନା । ମୃତ ବୃଦ୍ଧ ଜଣଙ୍କ ହେଲେ ବଢିଆ ଉସ୍ତାର ପୀତବାସ ଆଚାର୍ଯ୍ୟ । ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ ଜବତ କରିଛି ତଦନ୍ତ ଆରମ୍ଭ କରିଛି ପାଟପୁର ଥାନା ପୋଲିସ ।ଆତ୍ମହତ୍ୟା ବେଳେ ପୁଅ ଉଦ୍ଦେଶ୍ୟରେ ଏକ ସୁଇସାଇଡ୍ ନୋଟ ଲେଖିଛନ୍ତି, ଯେଉଁଥିରେ ସେ କହିଛନ୍ତି; “ମୁଁ ରହିବାକୁ ଚାହୁଁନି, ବୋଉକୁ ଭଲରେ ରଖିବୁ” । ପୁଅ କହିବା ଅନୁଯାୟୀ ବାପା ଉଚ୍ଚ ରକ୍ତଚାପ,ମଧୁମେହ ରୋଗରେ ପୀଡ଼ିତ ହୋଇ ନିୟମିତ ବ୍ୟବଧାନରେ ଚିକିତ୍ସିତ ହେଉଥିଲେ। ଗତ କିଛିଦିନ ହେଲା କୌଣସି କାରଣକୁ ନେଇ ସଦାସର୍ବଦା ଅନ୍ୟମନସ୍କ ରହୁଥିଲେ। କାହାରି ସହ ପ୍ରାୟ କଥାବାର୍ତ୍ତା କରୁନଥିଲେ। ଚୁପ ଚାପ ଗୋଟିଏ ଜାଗାରେ ବସି ରହୁଥିଲେ ପରିବାର ଲୋକଙ୍କୁ କିଛି ବି କହୁନଥିଲେ। ତାଙ୍କୁ ପଚାରିଲେ ମଧ୍ୟ ସେ କୌଣସି ଉତ୍ତର ଦେଉନଥିଲେ। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ସ୍ତ୍ରୀ ଙ୍କୁ ଡାକି ଦୋକାନରୁ ଏକ ଥଣ୍ଡା ପାନୀୟ ବୋତଲ ଆଣିବାକୁ କହିଥିଲେ। ସେ ଦୋକାନକୁ ଚାଲିଯିବା ପରେ ଘର ବାରି ପଟକୁ ଯାଇ ନିଜ ଦେହରେ ନିଆଁ ଲଗାଇଦେଇଥିଲେ।
