କଟକ ରୁ ଆସିଛି ଏହିଭଳି ଏକ ଘଟଣା | ମୁଁ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ। ମୁଁ ବଡ଼ ବଡ଼ କମ୍ପାନୀର ଚାକିରି କରାଇ ଦେବି। ଏଥିପାଇଁ କିଛି ଟଙ୍କା ଦେବାକୁ ପଡ଼ିବ।” ଏପରି କହି ଆଶାୟୀଙ୍କୁ ଚୁନ ମାରୁଥିଲେ ମହିଳା। ଏପରି କୋଟିକୋଟି ଟଙ୍କା ଠକେଇ ଅଭିଯୋଗରେ ଜଣଙ୍କୁ ବାନ୍ଧିଛି ପୁଲିସ। କିନ୍ତୁ ଏହି ଘଟଣାର ମାଷ୍ଟରମାଇଣ୍ଡ ସଂପୃକ୍ତ ମହିଳା ଜଣଙ୍କ ଫେରାର ହୋଇଯାଇଛନ୍ତି।
ଆଇଏଏସ୍ ଅଫିସର ପରିଚୟ ଦେଉଥିବା ପ୍ରିୟଙ୍କା ପ୍ରିୟଦର୍ଶନୀ ତ୍ରିପାଠୀ ଭୁବନେଶ୍ବର ସାମନ୍ତରାପୁରର ମହାବୀର ବଜାର ନିକଟରେ ରୁହନ୍ତି। ତାଙ୍କ ଘର ସାମାନାରେ ଦୁଇ ଜଣ ନକଲି ପୁଲିସ ଖାକି ପୋଷାକରେ ଜଗି ରୁହନ୍ତି। ପ୍ରିୟଙ୍କାଙ୍କ ବାପା ସୂର୍ଯ୍ୟ ନାରାୟଣ ତ୍ରିପାଠୀ ମଧ୍ୟ ଜଣେ ଆଇଏଏସ୍ ଅଫିସର ବୋଲି ପରିଚୟ ଦେଉଥିଲେ। ସେ ସର୍ଭେ ଅଫ୍ ଇଣ୍ଡିଆର ଉପ ନିର୍ଦ୍ଦେଶକ ଥିବା କହୁଥିଲେ। କଟକ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀନଗର ଅଞ୍ଚଳର ବିନୟ ରାଉତରାୟ ନିଜକୁ ପ୍ରିୟଙ୍କାଙ୍କ ପିଏ ବୋଲି ପରିଚୟ ଦେଉଥିଲେ। ତେବେ ଏଭଳି ମିଛ ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ କୋଟିକୋଟି ଟଙ୍କା ଆଣୁଥିଲେ। ହେଲେ ଆଶାୟୀମାନଙ୍କୁ ଚାକିରି ମିଳୁନଥିଲା। ଏହି ଠକେଇର ଶିକାର ହୋଇଥିବା ଜଣେ ଆଶାୟୀ କଟକ ବିଡାନାସୀ ଥାନାର ଅଭିଯୋଗ କରିବାପରେ ପୁଲିସ ଘଟଣାର ତଦନ୍ତ କରିଥିଲା। ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ହେଲେ ସଂପୃକ୍ତ ମହିଳା ଜଣଙ୍କ ଫେରାର ଅଛନ୍ତି। ପୁଲିସ ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।