ଗ୍ରାମପଞ୍ଚାୟତ ନିର୍ବାଚନ ପରେ, ତେଲେଙ୍ଗାନାର ବିଭିନ୍ନ ଗାଁ ଗୁଡ଼ିକରେ ବଡ଼ ଧରଣର ବୁଲା କୁକୁର ହତ୍ୟା ଘଟଣା ସାମ୍ନାକୁ ଆସିଛି। ଗତ ସପ୍ତାହ ମଧ୍ୟରେ, କିଛି ଜିଲ୍ଲାର ବିଭିନ୍ନ ଗାଁ ଗୁଡ଼ିକରେ ପ୍ରାୟ ୫୦୦ କୁକୁରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ପୋଲିସ କହିଛି ଯେ ଏହି ଘଟଣାଗୁଡ଼ିକରେ ପଞ୍ଚାୟତ ପ୍ରତିନିଧିଙ୍କ ଭୂମିକା ସ୍ପଷ୍ଟ ହେଉଛି। ଷ୍ଟ୍ରିଟ୍ ଡଗ୍ ଙ୍କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲୁଥିବା ବେଳେ ସମସ୍ତଙ୍କୁ ଚକିତ କରିଛି ଏହି ଘଟଣା।ସୂଚନାନୁଯାୟୀ, ୨୦୨୬ ଜାନୁଆରୀ ୧୨ ତାରିଖରେ ଷ୍ଟ୍ରେ ଆନିମଲ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ସହ ଜଡ଼ିତ ଆନିମଲ୍ କ୍ରୁଏଲିଟି ନିବାରଣ ପରିଚାଳକ ଆଦୁଲାପୁରମ୍ ଗୌତମ ମାଚାରେଡି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଗୌତମଙ୍କ ଅଭିଯୋଗ ଅନୁଯାୟୀ, ମାଚାରେଡି ଥାନା ଅଞ୍ଚଳର ଭାବନିପେଟ, ପଲବାଞ୍ଚା, ଫରିଦପେଟ, ୱାଡି ଏବଂ ବୃନ୍ଦାରମେଶ୍ୱରପାଲ୍ଲୀ ଗାଁରେ ଗତ ଦୁଇରୁ ତିନି ଦିନ ଭିତରେ ପ୍ରାୟ ୨୦୦ ବୁଲା କୁକୁରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଗାଁ ଗୁଡ଼ିକର ସରପଞ୍ଚଙ୍କ ନିର୍ଦ୍ଦେଶ କ୍ରମେ କୁକୁରଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରାଯାଇଛି। ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।ପୋଲିସର କହିବା ଅନୁଯାୟୀ, ସରପଞ୍ଚମାନେ କୁକୁରମାନଙ୍କୁ ମାରିବା ପାଇଁ ବିଷାକ୍ତ ଇଞ୍ଜେକ୍ସନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସେମାନେ ଇଞ୍ଜେକ୍ସନ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଥିଲେ। କୁକୁରମାନଙ୍କୁ ମାରିବା ପରେ, ସେମାନଙ୍କ ମୃତଦେହକୁ ଗାଁ ବାହାରେ ପୋତି ଦିଆଯାଇଥିଲା।
ସୂଚନା ପାଇବା ପରେ, ପଶୁଚିକିତ୍ସା ଟିମ୍ ମୃତଦେହଗୁଡ଼ିକୁ ବାହାର କରି ପୋଷ୍ଟମର୍ଟମ କରିଥିଲେ। ମୃତ୍ୟୁର ସଠିକ୍ କାରଣ ଏବଂ ବ୍ୟବହୃତ ବିଷ ନିର୍ଣ୍ଣୟ କରିବା ପାଇଁ ଭିସେରା ନମୁନା ଫୋରେନସିକ୍ ସାଇନ୍ସ ଲ୍ୟାବକୁ ପଠାଯାଇଛି। ଅଭିଯୁକ୍ତମାନଙ୍କୁ ନୋଟିସ୍ ଜାରି କରାଯାଇଛି।
