ଦିନ ଯେତିକି ଗଡୁଛି, ନୂଆପଡ଼ା ଉପନିର୍ବାଚନ ସେତିକି ଉଷ୍ମ ହୋଇଚାଲିଛି। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଜାରି ରଖିଛନ୍ତି ପ୍ରଚାର ।ନୂଆ ରଣନୀତି ସହ ଆଗକୁ ବଢ଼ୁଛନ୍ତି ବିଜେପି ଓ କଂଗ୍ରେସ ପ୍ରାଥୀ । ଜୟ ଢ଼ୋଲକିଆ ସବୁ ବିଜେପି କର୍ମୀଙ୍କୁ ଏକଜୁଟ୍ କରିବା ସହ ୧୫ମାସରେ ମୋହନ ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଁଚାଇବାକୁ ଉଦ୍ୟମ କରୁଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଲେ ନୂଆପଡ଼ାର କେମିତି ବିକାଶ ହେବ ସେକଥା ବୁଝାଉଛନ୍ତି ।କ୍ଷମତାକୁ ଆସିଲା ପରେ ବିଜେପି ପ୍ରଥମ ଥର ପାଇଁ ଉପନିର୍ବାଚନର ସାମନା କରୁଥିବାରୁ ଏହା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି । ନିର୍ବାଚନୀ ରଣନୀତିର ପ୍ରଥମ ପର୍ଯ୍ୟାୟରେ ଦିବଂଗତ ବିଜେଡି ବିଧାୟକଙ୍କ ପୁଅ ଜୟ ଢୋଲକିଆଙ୍କୁ ନିଜ ପକ୍ଷକୁ ଆଣି ପ୍ରାର୍ଥୀ କରାଇବାରେ ଦଳ ସଫଳ ହୋଇଛି ।
ଅନ୍ୟପଟେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଚିବାକୁ କଂଗ୍ରେସ ବଡ ବଡ ସମାବେଶ ନକରି, ଛୋଟ ଛୋଟ ବୈଠକ କରୁଛି । ଅନ୍ୟପଟେ ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ତେବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଷ୍ଟ୍ରାଟେଜି କରିଛି ବିଜେଡି । ପଶ୍ଚିମ ଓଡ଼ିଶା ନେତା ନବୀନଙ୍କୁ ଭେଟି ନୂଆପଡ଼ାରେ ପ୍ରଚାର କରିବାକୁ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି, ନେତାଙ୍କ ଅନୁରୋଧ ପରେ ନବୀନଙ୍କ ପ୍ରଚାର ପାଇଁ ଚୂଡ଼ାନ୍ତ ହୋଇଛି ଗସ୍ତସୂଚୀ । ନବୀନ ନୂଆପଡ଼ାକୁ ଦୁଇ ଥର ପ୍ରଚାର ପାଇଁ ଯିବେ । ନୂଆପଡ଼ାରେ ନବୀନ ପହଞ୍ଚିବା ପରେ କଂଗ୍ରେସ ଓ ବିଜେପିର ସବୁ ଆକଳନ ଭୁଲ୍ ହୋଇଯିବ । ନବୀନ ହାତ ହଲାଇ ଦେଲେ ସବୁ ଆକଳନ ଓଲଟି ଯିବ । ବିଜେଡି ସପକ୍ଷରେ ସବୁ ଭୋଟ୍ ଯିବ ।ସୂଚନାଯୋଗ୍ୟ, ଭାରତ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୨୨ (ବୁଧବାର)ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ (ଶୁକ୍ରବାର) ତାରିଖକୁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।