ନୂତନ ପେନସନଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ଶୋଭାଯାତ୍ରା ଓ ପ୍ରତିବାଦ ସଭା

ନୟାଗଡ଼,(ଓଡ଼ିଶା ଦର୍ପଣ):ଓଡ଼ିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ଏକ ପ୍ରତିବାଦ ସଭା ଓ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନୟାଗଡ଼ ଜିଲ୍ଲାର ସମସ୍ତ ୮ ଟି ବ୍ଳକରୁ ସଂଘର ଶତାଧିକ ସକ୍ରିୟ ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ। ୨୦୦୪ ରୁ ୨୦୧୩ ମସିହା ମଧ୍ୟରେ ଠିକା ଶିକ୍ଷକ ଭାବରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନେ, ଓଡ଼ିଶା ସରକାରଙ୍କ ଆର୍ଥିକ ଦୂରବସ୍ଥା ସମୟରେ ମାତ୍ର ୨୫୦୦ଟଙ୍କା/ ୧୫୦୦ ଟଙ୍କା ମାସିକ ଦରମାରେ ଶିକ୍ଷାଦାନ କରିଥିଲେ। ସରକାର ୨୦୦୩ ମସିହାରେ ଓ ୨୦୦୫ ମସିହାରେ ଠିକା ଶିକ୍ଷକ ନିଯୁକ୍ତି ବିଜ୍ଞାପନରେ ସେତେବେଳେ ଆର୍ଥିକ ସଙ୍କଟ ତଥା
ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଘୋର ଅଭାବ ଯୋଗୁଁ ଠିକା ନିଯୁକ୍ତି ଦିଆଯାଇଥ‌ିବା ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ । ସେହି ଆର୍ଥିକ ଦୂରବସ୍ଥା ସମୟରେ ଏହି ଶିକ୍ଷକ ମାନେ ପ୍ରତିଶ୍ରୁତି ମୁତାବକ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାର ଉନ୍ନତି ଆଣିଥିଲେ।


୨୦୨୩ ମସିହାରେ ସଂଘ ବାରମ୍ବାର ଧାରଣା ଏବଂ ରାଲି କରିବା ସହିତ ତତ୍କାଳୀନ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିକ୍ଷା ସଚିବ, ବିରୋଧୀ ଦଳ ନେତା ପ୍ରଭୃତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭୁବନେଶ୍ଵରରେ
ଆନ୍ଦୋଲୋନ ଚାଲିଥିବା ସମୟରେ ତତ୍କାଳୀନ ବିରୋଧୀ ଦଳ ନେତା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଆନ୍ଦୋଳନ ସ୍ଥଳକୁ ଆସି ଆପଣଙ୍କ ଦାବି ଯୁକ୍ତି ଯୁକ୍ତ ଏବଂ ଆମ ଦଳ ସରକାରରେ ଆସିଲେ ଏହି ଦାବିକୁ ଶୀଘ୍ର ପୂରଣ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଅଦ୍ୟାବଧି ସରକାର କୌଣସି ପଦକ୍ଷେପ ନେଇ ନଥିବାରୁ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇବା ସହିତ ୬ ବର୍ଷର ଠିକା ଅବଧିକୁ ମୂଳ ଚାକିରୀରେ ଗଣନା କରିବା ଏବଂ ୬ଟି ନୋସନାଲ ଇନକ୍ରିମେଣ୍ଟ ତୁରନ୍ତ ପ୍ରଦାନ କରିବା ସମ୍ବଳିତ ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲା ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କୁ ପ୍ରଦାନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ରାଜ୍ୟ ସଂଘ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ,ଜିଲ୍ଲା ସଭାପତି ମନୋଜ କୁମାର ଶତପଥୀ ଏବଂ ସମ୍ପାଦକ ସତ୍ୟନାରାୟଣ ଆଚାର୍ଯ୍ୟ ପ୍ରମୁଖଙ୍କ ସମେତ ଜିଲ୍ଲାରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital