ନୂତନ ରୂପରେ ନୟାଗଡ଼ ଜିଲ୍ଲାର ଅତ୍ୟାଧୁନିକ ରଙ୍ଗମଞ୍ଚ ପଠାଣି ସାମନ୍ତ ସଂସ୍କୃତି ଭବନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ) : ନୟାଗଡ଼ବାସୀଙ୍କ ଭାବାବେଗ ସହିତ ଯୋଡ଼ି ହୋଇ ରହିଥିବା ପଠାଣି ସାମନ୍ତ ସଂସ୍କୃତି ଭବନ (ଅଡିଟୋରିଅମ) ଏବେ ନୂତନ ରୂପରେଖ ପାଇବାକୁ ଯାଉଛି। ନୟାଗଡ଼ ବିକାଶର ଅନ୍ୟତମ ସ୍ମାରକୀ ଭାବେ ଠିଆ ହେବାକୁ ଯାଉଛି ଏହି ଅତ୍ୟାଧୁନିକ ଅଡିଟୋରିଆମ। ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିଜସ୍ଵ ଉଦ୍ୟମ, ଆନ୍ତରିକ ପ୍ରଚେଷ୍ଟା ଏବଂ ନିଷ୍ଠା ବଳରେ ଏହା ଅତ୍ୟାଧୁନିକ ଶୈଳୀରେ ନିର୍ମିତ ହେଉଥିବା ବେଳେ ମଞ୍ଚ ନାଟକ ପାଇଁ ଏଥିରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି। ଉଲ୍ଲେଖ ଯୋଗ୍ୟ ଯେ ପୁରୁଣା ଭବନର ରୂପାନ୍ତରଣ ଲାଗି ରାଜ୍ୟ ସରକାର ୨କୋଟି ଟଙ୍କାର ଅନୁଦାନ ଦେଇଥିବା ବେଳେ ପୌର ପରିଷଦ ଏହାର ରୂପାନ୍ତରଣ ଦାୟିତ୍ବ ନେଇଛି। ନାଟକ, ସଭା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପଠାଣି ସାମନ୍ତ ସଂସ୍କୃତି ଭବନ ନିର୍ମାଣ କରାଯାଇଥିଲା। ଏବେ ଭବନ କାର୍ଯ୍ୟ ପ୍ରାୟ ସରିଆସିଥିବା ବେଳେ କଳାକାରମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।
ଏହି ଭବନରେ ଅନେକ ମଞ୍ଚ ନାଟକ ପରିବେଷଣ ହୋଇସାରିଛି ।

ସଂସ୍କୃତି ସଂସଦ,ନାଟ୍ୟଧାରା,ଚମତ୍କାର,ରାଗେଶ୍ରୀ ନିଳୟମ୍‌, ସିରିୟସ୍ ଜୋନ୍, ସୁଧା ସାଂସ୍କୃତିକ ଅନୁଷ୍ଠାନ ଏବଂ ମଞ୍ଚାୟନ ପ୍ରମୁଖ ମଞ୍ଚ ନାଟକ ସଂସ୍ଥା ପକ୍ଷରୁ ଅଦ୍ୟାବଧି ଶତାଧିକ ନାଟକ ପରିବେଷଣ ହୋଇଛି । ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ମଧ୍ୟ ଏଠାରେ ଅନୁଷ୍ଠିତ ହୋଇଛି। ଏଥିସହ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଗୀତିନାଟ୍ୟ ମହୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହିଭଳି ଭାବେ ନାଟକ ପରିବେଷଣ ପାଇଁ ଏହି ଭବନ କଳାକାର ଏବଂ ନାଟକପ୍ରେମୀଙ୍କ ଲାଗି ବେଶ୍ ନିକଟତର ଥିଲା। କିନ୍ତୁ ସେହି ସମୟରେ ନାଟକ ମଞ୍ଚସ୍ଥ ପାଇଁ ଆବଶ୍ୟକୀୟ ଆନୁଷଙ୍ଗିକ ବ୍ୟବସ୍ଥା ଯେପରିକି ପ୍ରୋସିନିୟମ୍ (ମଞ୍ଚର ସମ୍ମୁଖଭାଗ), ସାଇଡ୍ ୱିଙ୍ଗ୍’ (ଉଭୟ ପାର୍ଶ୍ଵର ପରଦା), ଝାଲର (ମଞ୍ଚର ବାଉଁଶକୁ ଲୁଚାଇବା ପାଇଁ ବ୍ୟବହାର), ଜୋନ୍ (ଡାଏଲଗ୍ ପାଇଁ ଲାଗିଥିବା ମାଇକ୍ ସ୍ଥାନ) ସମେତ ଲାଇଟ୍, ସାଉଣ୍ଡ ଏବଂ ଶବ୍ଦ ନିରୋଧକ ବ୍ୟବସ୍ଥା ମଧ୍ୟ ନଥିଲା। ଫଳରେ
ନାଟକ ପରିବେଷଣ କରାଉଥିବା ସଂସ୍ଥା ନିଜ ଖର୍ଚ୍ଚରେ ଲାଇଟ୍ ସାଉଣ୍ଡ ସମେତ ମଞ୍ଚ ପାଇଁ ଆବଶ୍ୟକୀୟ ଜିନିଷ ପାଇଁ ବ୍ୟବସ୍ଥା କରାଉଥିଲା । ଏହାକୁ ହୃଦୟଙ୍ଗମ କରି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏହାକୁ ନୂତନ ରୂପରେଖ ଦେବା ପାଇଁ ଅଣ୍ଟା ଭିଡ଼ି ଥିଲେ। ବିଧାୟକ ଡ. ସାହୁ ରାଜ୍ୟ ସଂସ୍କୃତି ବିଭାଗ ସହିତ ଯୋଗାଯୋଗ କରି ୨ କୋଟି ଟଙ୍କା ଅନୁଦାନ ଆଣିବାରେ ସକ୍ଷମ ହେବା ସହିତ ଏହାର ପୁନରୁଦ୍ଧାର କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିଥିଲେ। ନୂତନ ଭାବେ ନିର୍ମାଣ କରାଯାଉଥିବା ଏହି ଭବନକୁ ସମ୍ପୂର୍ଣ୍ଣ ବତାନୁକୂଳିତ କରାଯିବା ସହ ଅତ୍ୟାଧୁନିକ ମଞ୍ଚ ପ୍ରସ୍ତୁତ କରାଯାଉଛି । ଏହା ସହିତ ଦର୍ଶକ ବସିବା ପାଇଁ ଗ୍ୟାଲେରୀ କରାଯାଇଥିବା ବେଳେ ବାହାରୁ ଭବନ ଦେଖିବାକୁ ଯେଭଳି ଆକର୍ଷଣୀୟ ହୋଇଛି ଭିତର ସାଜସଜ୍ଜା ଉପରେ ମଧ୍ୟ ସେହିଭଳି ଗୁରୁତ୍ବ ଦିଆଯାଇଥିବା ଦେଖିବାକୁ ମିଳିଛି ।

ଭବନକୁ ନୂତନ ଭାବେ ରଙ୍ଗ କରାଯିବା ସହ ଏଠାରେ ନାଟ୍ୟ କଳାକାରଙ୍କ ପାଇଁ ଗ୍ରିନ ରୁମ୍,ସ୍ଥାୟୀ ମଞ୍ଚ ନିର୍ମାଣ ପ୍ରାୟ ସରି ଆସିଥିବା ନୟାଗଡ଼ ପୌର ପରିଷଦ ପକ୍ଷରୁ ସୂଚନା ମିଳିଛି । ସମସ୍ତ କାର୍ଯ୍ୟ ପ୍ରାୟ ସରିଆସିଥିବା ବେଳେ ଗ୍ଲାସ୍ କାମ ଗୁଡ଼ିକ ଚାଲୁ ରହିଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ଏହା ଷ୍ଟାରକ୍ଲବ ପଡ଼ିଆ ଭାବେ ପରିଚିତ ଥିବା ବେଳେ ସଂସ୍କୃତି ସଂସଦ, ନୟାଗଡ଼ ପକ୍ଷରୁ ଏଠାରେ ପ୍ରତିବର୍ଷ ଡିସେମ୍ବର ମାସରେ ୩ ଦିନ ଧରି ନାଟକ ପରିବେଷଣ ହେଉଥିଲା। ତେବେ ସଂସ୍କୃତି ସଂସଦ,ନୟାଗଡ଼ ପକ୍ଷରୁ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ସ୍ଥାନରେ ଏକ ଅଡିଟୋରିଆମ ନିର୍ମାଣ କରାଯିବା ପାଇଁ ସେହି ସମୟରେ ବିଭିନ୍ନ ସୂତ୍ରରୁ ପ୍ରାୟ ୫୫ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା। ଗତ ୨୦୦୦ ମସିହା ଡିସେମ୍ବର ୩୧ ତାରିଖରେ ଜିଲ୍ଲାପାଳ ଜମିଲ ଅହମ୍ମଦ ଖାଁଙ୍କ ସମୟରେ ତତ୍କାଳୀନ ବିଧାୟକ ତଥା ମନ୍ତ୍ରୀ ସ୍ବର୍ଗତ ଭାଗବତ ବେହେରା ଏବଂ ଖୋର୍ଦ୍ଧା ବିଧାୟକ ପ୍ରସନ୍ନ ପାଟଶାଣୀଙ୍କ ଦ୍ଵାରା ଏହାର ଶୁଭ ଦିଆଯାଇଥିଲା। ପରେ ସ୍ବର୍ଗତ ଭାଗବତ ବେହେରା ମଧ୍ୟ ଅଡିଟୋରିଅମ ସମ୍ପୂର୍ଣ୍ଣ କରିବା ପାଇଁ ଆଉ ୨୦ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ।

ଅଡିଟୋରିଅମ ସମ୍ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୨ ମସିହାରେ ଏହାକୁ ଉଦଘାଟନ କରିଥିଲେ। ଅତ୍ୟାଧୁନିକ ସାଉଣ୍ଡ, ଲାଇଟ୍ ବ୍ୟବସ୍ଥା ଥିବା ଏହି ଅତ୍ୟାଧୁନିକ ରଙ୍ଗମଞ୍ଚ ଆସନ୍ତା ୧୯ ତାରିଖରେ ଉଦଘାଟନ ହେବ ବୋଲି ଜଣାପଡ଼ିଛି। ପଠାଣି ସାମନ୍ତ ସଂସ୍କୃତି ଭବନ ବିଧାୟକ ଡ. ସାହୁଙ୍କ ଦ୍ୱାରା ଏକ ଅତ୍ୟାଧୁନିକ ରଙ୍ଗମଞ୍ଚରେ ପରିଣତ ହୋଇ ପାରିଥିବାରୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଖୁସି ବ୍ୟକ୍ତ କରିଥିବା ବେଳେ କଳା ଓ ସଂସ୍କୃତି ପ୍ରେମୀ ମାନଙ୍କ ପାଇଁ ନୟାଗଡ଼ ବିଧାୟକ ସବୁଦିନ ପାଇଁ ମନେ ରହିବେ ବୋଲି କହିଛନ୍ତି।

ଅଧିକ ପଢନ୍ତୁ