ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ ସହ ୭ଟିକୁ ମିଳିଲା GI ଟ୍ୟାଗ

ଭୁବନେଶ୍ୱର,(ଓଡିଶା ଦର୍ପଣ): ଓଡ଼ିଶାକୁ ମିଳିଲା ୭ଟି ଜିଆଇ ଟ୍ୟାଗ୍ । ନୟାଗଡ଼ର କଣ୍ଟିଲୋ ଅଞ୍ଚଳର ସ୍ୱତନ୍ତ୍ର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମିଳିଛି l ଲାଞ୍ଜିଆ ସଉରାଙ୍କ ଖଜୁରୀ ଗୁଡ଼କୁ ମିଳିଛି ଜିଆଇ ଟ୍ୟାଗ । ଗଜପତି ଓ ରାୟଗଡ଼ାର ଲାଞ୍ଜିଆ ସଉରା ପ୍ରସ୍ତୁତ କରନ୍ତି ଏହି ଖଜୁରୀ ଗୁଡ଼ । ସେହିପରି ଡଙ୍ଗରିଆ କନ୍ଧଙ୍କ ଏମ୍ବରଡୋରି ସାଲ୍- କପଡ଼ାଗଣ୍ଡାକୁ ମିଳିଛି ଜିଆଇ ଟ୍ୟାଗ୍ । ରାୟଗଡ଼ା ଓ କଳାହାଣ୍ଡିର ନିୟମଗିରି ପାହାଡ଼ରେ ରହନ୍ତି ଡଙ୍ଗରିଆ କନ୍ଧ । କୋରାପୁଟର କଳାଜୀରା ଚାଉଳ, ମୟୂରଭଞ୍ଜର ନାଲିକାଇ ଚଟଣି, ଲାଞ୍ଜିଆ ସଉରାଙ୍କ ଚିତ୍ରକଳା ଇଡ଼ିତାଲ ଏବଂ ଢେଙ୍କାନାଳର ମଗଜି ଲଡୁକୁ ମଧ୍ଯ ମିଳିଛି ଜିଆଇ ଟ୍ୟାଗ୍ । ଆସନ୍ତା ୩ ମାସ ମଧ୍ୟରେ ଏସବୁ ଉତ୍ପାଦ ଉପରେ କୌଣସି ଆପତ୍ତି ଅଭିଯୋଗ ନ ଆସିଲେ, ଏଗୁଡ଼ିକୁ ଜିଆଇ ରେଜିଷ୍ଟ୍ରି ପକ୍ଷରୁ ଟ୍ୟାଗ୍ ମିଳିବ ବୋଲି ଜଣାଯାଇଛି । ଅପରପକ୍ଷେ, କେନ୍ଦ୍ରାପଡ଼ାର ରସାବଳିକୁ ଗତ ମେ’ ୩୧ ତାରିଖରୁ ଜିଆଇ ମିଳିବା ନେଇ ତାଲିକାଭୁକ୍ତ କରାଯାଇଛି । ଏହାକୁ ଖୁବ୍‌ଶୀଘ୍ର ଜିଆଇ ଟ୍ୟାଗ୍ ମିଳିବ ବୋଲି ଜଣାଯାଇଛି ।

ଅଧିକ ପଢନ୍ତୁ