ନୟାଗଡ଼ କଲେଜ ଅର୍ଥଶାସ୍ତ୍ର ବିଭାଗର ଆଲୋଚନାଚକ୍ର

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗ ଆନୁକୂଲ୍ୟରେ, ‘ନବ-ପ୍ରବର୍ତ୍ତନ, ବୈଷୟିକ ସଂସ୍ଥାନ, ଏବଂ ଭାରତୀୟ ଅର୍ଥବ୍ୟବସ୍ଥା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବେ, ରାଜ୍ୟ ବିତ୍ତ ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥଶାସ୍ତ୍ର ବିଭାଗର ପୂର୍ବତନ ପ୍ରଫେସର ଏବଂ ମୁଖ୍ୟ ପ୍ରଫେସର ଡ. ସୁଧାକର ପଣ୍ଡା ଯୋଗଦେଇ ବୈଶ୍ୱିକ ସ୍ତରରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ମୁଦ୍ରା ନେଣ-ଦେଣ ତଥା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନବପ୍ରବର୍ତ୍ତନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଅର୍ଥବ୍ୟବସ୍ଥା ଏବଂ ରାଜନୈତିକ-ଅର୍ଥବ୍ୟବସ୍ଥା ମଧ୍ୟରେ ଥିବା ପାର୍ଥକ୍ୟକୁ ଖୁବ୍ ସୁନ୍ଦର ଭାବେ ବୁଝାଇବା ସହ ବଡ଼ ରାଷ୍ଟ୍ରର ମନମୁଖୀ ବାଣିଜ୍ୟ ପ୍ରତିବନ୍ଧକ ନୀତି ଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ସମ୍ପର୍କରେ ତଥ୍ୟ ସମ୍ବଳିତ ଗାଣିତିକ ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବିପିନ କୁମାର ପଟ୍ଟନାୟକଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରାରମ୍ଭିକ ଦୂରଭାଷ  ଉଦ୍‌ବୋଧନ ବାର୍ତ୍ତା ପ୍ରସାରଣ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲା । ସ୍ୱାଗତ ଭାଷଣ ଦେଇଥିଲେ ବିଭାଗୀୟ ମୁଖ୍ୟ ଡ. ଦିଲ୍ଲୀପ କୁମାର ମିଶ୍ର । ପ୍ରାରମ୍ଭିକ ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରଫେସର ନାରାୟଣ ହୋତା । ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ଡ. ଆଶୁତୋଷ ମିଶ୍ର,ଦିଲ୍ଲୀପ କହଁର ଏବଂ ଅଧ୍ୟାପିକା ବନ୍ଦନା ନାୟକ । ବିଭାଗର ଅଧ୍ୟାପକ, ଅଧ୍ୟାପିକା ତଥା ସମସ୍ତ ଛାତ୍ରଛାତ୍ରୀଙ୍କ ସକ୍ରିୟ ଉପସ୍ଥିତି ଆଲୋଚନାଚକ୍ରକୁ ସଫଳ କରିଥିଲା ।

ଅଧିକ ପଢନ୍ତୁ