ନୟାଗଡ ଜିଲ୍ଲାର କୃଷି ଓ କୃଷକଙ୍କ ସମସ୍ୟା ସମାଧାନ କରିବାରେ ସରକାର ସମ୍ପୂର୍ଣ ବିଫଳ

ନୟାଗଡ଼,(ଓଡ଼ିଶା):ନୟାଗଡ଼ ଜିଲ୍ଲା ଏକ ପ୍ରମୁଖ କୃଷି ଭିତ୍ତିକ ଜିଲ୍ଲା ।  ଜିଲ୍ଲାର ୭୫% ଲୋକ କୃଷି ଉପରେ ସମ୍ପୂର୍ଣ ନିର୍ଭରଶୀଳ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଗତ ବି.ଜେ.ଡି ସରକାରର ୨୫ ବର୍ଷ ଶାସନ ଓ ବର୍ତ୍ତମାନର ବି.ଜେ.ପି ସରକାରର ଏକ ବର୍ଷରୁ ଅଧିକ ଶାସନରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ଓ ଚାଷ ସମ୍ପୂର୍ଣ ବିପର୍ଯ୍ୟସ୍ତ । ଏହି ଉଭୟ ସରକାରର ଅପାରଗତା ଯୋଗୁ କଂଗ୍ରେସ ସରକାର ସମୟରେ ନୟାଗଡ଼ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିବା ଚିନି କଳଟି ଆଜି ସମ୍ପୂର୍ଣ ବିଲୁପ୍ତ ।  ସେହିପରି ଚାଷ ପାଇଁ ଜଳସେଚନ ର ସୁଯୋଗ ଥିଲେ ମଧ୍ୟ ଚାଷୀ ଚାଷ ପାଇଁ ପାଣି ପାଉନାହିଁ। ବୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା କେବଳ ଘୋଷଣାରେ ରହିଛି । ପୂର୍ବରୁ ଥିବା ଉଠା ଜଳସେଚନ ପଏଣ୍ଟ ଗୁଡିକ ଅଚଳ ହୋଇ ପଡିରହିଛି । ଜିଲ୍ଲାରେ ପନିପରିବା ସରକ୍ଷଣ ପାଇଁ ଗୋଟିଏ ହେଲେ ଶୀତଳ ଭଣ୍ଡାର ନାହିଁ । ଚାଷୀ ତାର ଉତ୍ପାଦିତ କୃଷି ଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବା ପରିବର୍ତ୍ତେ ବହୁ କ୍ଷତିର ସମ୍ମୁଖୀନ ହଉଛନ୍ତି। ପି ଏମ କିଷାନ ନିଧି ଯୋଜନାରେ ବହୁ ଚାଷୀ ଅନ୍ତର୍ଭୁକ୍ତ ହେବାରୁ ବଞ୍ଚିତ। ଫଳରେ ଅନେକ ଚାଷୀ ଚାଷ ଛାଡିବାକୁ ବାଧ୍ୟ ହେଉଛନ୍ତି। ଧାନ ର ଅଭାବୀ ବିକ୍ରି ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଫସଲ ବୀମାର କ୍ଷତି ପୂରଣ ଓ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜିକରଣରେ ଅହେତୁକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଆଜି ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ନୟାଗଡ ଜିଲ୍ଲାର ପି ସି ସି ପର୍ଯ୍ୟବେକ୍ଷକ ଅମୀୟ ପଟ୍ଟନାୟକ ତିନି ଦିନିଆ ନୟାଗଡ ଜିଲ୍ଲାକୁ ଗସ୍ତ କରି ନୟାଗଡ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୋହନ ସରକାରକୁ ତୀବ୍ର ଭତ୍ସନା କରିଛନ୍ତି । ବି ଜେ ପି ସରକାର ରକ୍ଷକ ହୋଇ ଭକ୍ଷକ ସାଜିଛି । କାଳ ବିଳମ୍ବ ନକରି ସରକାର ତୁରନ୍ତ ଚିନି କଳର ପୁନଃରୁଦ୍ଧାର, ବୃତ୍ତଙ୍ଗ ଜଳସେଚନର ଆଶୁ କାର୍ଯ୍ୟକାରିତା, ପ୍ରତି ବ୍ଲକ ସ୍ତରରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ମହାନଦୀ ଅବବାହିକାରେ ଥିବା ଗଣିଆ ଠାରୁ କରବର ପର୍ଯ୍ୟନ୍ତ ସମସ୍ତ ଚାଷ ଉପଯୋଗୀ ଜମିକୁ ସୁନିଶ୍ଚିତ ଜଳ ସେଚନ ବ୍ୟବସ୍ଥା କରିବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ଦୃଢ ଦାବି କରିଛନ୍ତି ।  ଅନ୍ୟ ମାନଙ୍କ ମଧ୍ୟରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକ ନୟାଗଡ ଜିଲ୍ଲରେ ସମବାୟ ସଂସ୍ଥାରେ ସାରର ଉପଲବ୍ଧି ହେଉନାହିଁ ବର୍ତ୍ତମାନ ଚାଷୀମାନେ ସେମାନଙ୍କ ଧାନରୁଆ, ବଛା କାର୍ଯ୍ୟ କରିବାସହ  ବିଲରେ ସାର ପକାଇବା ପାଇଁ ସରକାରଙ୍କ ରିହାତି ଦରରେ ସାର ମିଳୁନାହିଁ ଫଳରେ ଚାଷୀ ଅଧିକ ମୂଲ୍ୟ ଦେଇ କଳାବଜ଼ାରିଙ୍କ ଠାରୁ କ୍ରୟ କରୁଛନ୍ତି l ତୁରନ୍ତ ଜିଲ୍ଲାପ୍ରଶାସନ ଚାଷୀଙ୍କ ପାଈଁ ରିହାତି ଡରରେ ସାରଯୋଗେଇ ଦିଅନ୍ତୁ ଏବଂ କଳାବଜାରୀଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠା ଗ୍ରହଣ କରନ୍ତୁ ନହେଲେ ଆଗାମୀଦିନରେ ଜିଲ୍ଲାକଂଗ୍ରେସ ଆନ୍ଦୋଳନାତ୍ମକ   ପନ୍ଥା ଗ୍ରହଣ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ସଭାପତି ରଣଜିତ ଦାଶ , ବରିଷ୍ଟ କଂଗ୍ରେସ ନେତା ହୁସେନ ଖାନ, ପୀତବାସ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। By:-LaxmidharSahoo

ଅଧିକ ପଢନ୍ତୁ