ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍‌ ଫେଲ୍‌ ପାଇଁ ପକ୍ରିୟା ଆରମ୍ଭ

ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍‌ ଫେଲ୍‌ ବ୍ୟବସ୍ଥା | ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବ। ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାହାକୁ ରଖାଯିବ ଏବଂ ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପ୍ରଶ୍ନପତ୍ର ପହଞ୍ଚିବ। ପରୀକ୍ଷାର ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି ସହ ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ଟିଇ ଆଣ୍ଡ୍‌ ଏସ୍‌ସିଇଆରଟି ଦ୍ବାରା ପରୀକ୍ଷା ଓ ମୂଲ୍ୟାଙ୍କନ ପାଇଁ ଢାଞ୍ଚା ପ୍ରସ୍ତୁତ ସହ ଶିକ୍ଷଣ ଫଳାଫଳ/ଦକ୍ଷତା-ଆଧାରିତ ନମୁନା ପ୍ରଶ୍ନବ୍ୟାଙ୍କ, ଡିଆଇଇଟି ଅଧ୍ୟାପକଙ୍କ ତାଲିମ ଦିଆଯିବ । କାର୍ଯ୍ୟାନ୍ୱୟନ ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ, ରାଜ୍ୟସ୍ତରୀୟ ପରୀକ୍ଷା ସୂଚୀ ପ୍ରସ୍ତୁତି, ଜିଲ୍ଲା ସହ ନମୁନା ପ୍ରଶ୍ନର ଆଦାନପ୍ରଦାନ, ଡିଆଇଇଟି ବ୍ୟତୀତ ଅନ୍ୟ ଅଂଶୀଦାର ଯେପରିକି ଡିଇଓ, ବିଇଓ ଓ ସିଆରସିସିଙ୍କୁ ତାଲିମ ପ୍ରଦାନ ଓସେପା କରିବ । ଜିଲ୍ଲାସ୍ତରୀୟ ମନିଟରିଂ କମିଟି ମାର୍ଗଦର୍ଶନରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ(ଡିଇଓ) ଓ ଡିଆଇଇଟି ସେମାନଙ୍କ ଜିଲ୍ଲା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ । ପ୍ରଶ୍ନପତ୍ରଗୁଡ଼ିକ ଟିଇ ଆଣ୍ଡ୍‌ ଏସ୍‌ସିଇଆରଟି ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟାଙ୍କନ ଢାଞ୍ଚା ଓ ନମୁନା ପ୍ରଶ୍ନ ଉପରେ ଆଧାରିତ ହେବ । ଡିଇଓମାନେ ପ୍ରଶ୍ନପତ୍ର ମୁଦ୍ରଣ ପାଇଁ ପଦକ୍ଷେପ ନେବା ସହ ଜିଲ୍ଲାସ୍ତରରେ ସେଗୁଡ଼ିକର ସୁରକ୍ଷିତ ସଂରକ୍ଷଣକୁ ସୁନିଶ୍ଚିତ କରିବେ ।ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୌଖିକ ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ ୫୦ ମାର୍କରୁ ୧୦ ମାର୍କ ମୌଖିକ ଓ ୪୦ ମାର୍କ ଲିଖିତ ପରୀକ୍ଷା ରହିବ। ୮ମ ଶ୍ରେଣୀ ପାଇଁ କେବଳ ୫୦ ମାର୍କର ଲିଖିତ ପରୀକ୍ଷା କରାଯିବ। ପ୍ରଶ୍ନପତ୍ରରେ ସମିଟିଭ୍‌ ଆସେସ୍‌ମେଣ୍ଟ-୧ ପୂର୍ବରୁ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୩୦% ପ୍ରଶ୍ନ ଓ ପରେ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୭୦% ପ୍ରଶ୍ନ ରହିବ। ୩୦% ସହଜ, ୪୦% ହାରାହାରି ଓ ୩୦% କଷ୍ଟକର ପ୍ରଶ୍ନ ରହିବ। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ୬୦% ଅର୍ଥାତ୍‌ ୩୦ ମାର୍କର ଓ ଦୀର୍ଘ ଉତ୍ତରମୂଳକ ୪୦% ଅର୍ଥାତ୍‌ ୨୦ ମାର୍କର ରହିବ। ସ୍କୁଲ ସ୍ତରରେ ବିଷୟଭିତ୍ତିକ ଶିକ୍ଷକଙ୍କ ଦ୍ବାରା ଉତ୍ତରଖାତାଗୁଡ଼ିକର ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରୋଗ୍ରେସ୍‌ ରିପୋର୍ଟ ଦିଆଯିବ। ଫେବ୍ରୁଆରିରେ ପରୀକ୍ଷା କରାଯିବା ସହ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବା ଦିଗରେ ପଦକ୍ଷେପ ନେବେ। ୩୦% ମାର୍କ ରଖିଲେ ପିଲା ପାସ୍‌ କରିବେ। ଯେଉଁମାନେ କୃତକାର୍ଯ୍ୟ ହେବେ ନାହିଁ, ସେମାନଙ୍କ ପାଇଁ ସପ୍ଲିମେଣ୍ଟାରି ପରୀକ୍ଷା କରାଯିବ।

ଅଧିକ ପଢନ୍ତୁ

Odisha Darpan Digital