ପଞ୍ଚୁକରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ, ଦର୍ଶନ ଶୃଙ୍ଖଳା ଓ ନିର୍ଦ୍ଧାରିତ ସମୟରେ ମହାପ୍ରସାଦ ବ୍ୟବସ୍ଥା ନିମନ୍ତେ ସଅଳ ନୀତି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରାକ୍ ପ୍ରସ୍ତୁତି କରିଛି ।ଭିଡ଼କୁ ନିୟନ୍ତ୍ରଣ ନିମନ୍ତେ ଏବେଠାରୁ ଶ୍ରୀମନ୍ଦିର ବାହାରେ ମରିଚିକୋଟ ଛକ ପର୍ଯ୍ୟନ୍ତ ଲୁହା ବ୍ୟାରିକେଡ୍ ନିର୍ମାଣ ଆରମ୍ଭ ହୋଇଛି । ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦର୍ଶନ ସୁବିଧା, ଆବଶ୍ୟକ ପରିମାଣର ମହାପ୍ରସାଦ ବ୍ୟବସ୍ଥା, ବାହାରେ ସୂଚନା କେନ୍ଦ୍ର, ସହରରେ ଟ୍ରାଫିକ ନିୟନ୍ତ୍ରଣ, ଆଶୁ ଚିକିତ୍ସା କେନ୍ଦ୍ର ପ୍ରଭୃତି ବ୍ୟବସ୍ଥା ହେବ । ସେପଟେ ୫ ଦିନ ପରିବର୍ତ୍ତେ ଚଳିତ ଥର ୪ ଦିନ ରହିଛି ପଞ୍ଚୁକ ବ୍ରତ । ତେଣୁ ୪ ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ଦୁର୍ଲ୍ଲଭ ବେଶରେ ଦର୍ଶନ ଦେବେ । ୨ ନଭେମ୍ବରରେ ହରି ଉତ୍ଥାପନ ଏକାଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ, ୩ ନଭେମ୍ବରରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୪ ନଭେମ୍ବର ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଓ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନାବେଶରେ ଠାକୁର ଦର୍ଶନ ଦେବେ । ଚଳିତଥର ତିଥି କ୍ଷୟ ଯୋଗୁଁ ଅର୍ଥାତ୍ ପଞ୍ଚୁକ ୫ଦିନ ପଡ଼ୁନଥିବାରୁ ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହେବେ ।
