ପଞ୍ଚୁପାଣ୍ଡବ ମହୋତ୍ସବ ଲୋକାରଣ୍ୟ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ସଦର ମହକୁମାରେ ଥିବା ହାଇସ୍କୁଲ ପଡିଆରେ ନୂଆଗାଁ ବ୍ଲକ୍ ର ଐତିହ୍ୟ କଳା ,ସଂସ୍କୃତିକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ ନୂଆଗାଁ ବ୍ଲକ୍ ର କଳା , ଐତିହ୍ୟ ସଂସ୍କୃତି ବିଷୟରେ ବର୍ଣ୍ଣନା କରିବା ସହ ଏଭଳି ପଞ୍ଚୁପାଣ୍ଡବ ମହୋତ୍ସବ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁ ହୋଇପଡ଼ିଥିବା କହିଥିଲେ।ତତ୍ ସହିତ ନିର୍ବାଚନ ମଣ୍ଡଳୀ ଯେଉଁ ଭଳି ଭାବେ ବିକଶିତ ହେବାରେ ଲାଗିଛି ତାହା ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଠା ର ନିଦର୍ଶନ ବୋଲି କହିଥିଲେ।ବିଶିଷ୍ଟ ଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା, ନୟାଗଡ଼ ଜାନକୀ ଦେହୁରୀ, ମୁଖ୍ୟ ବକ୍ତା ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା,ସମ୍ମାନିତ ଅତିଥି ଭାବେ ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ,୮ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା,୯ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନୀ, ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏଥି ସହିତ ସମସ୍ତ ଅତିଥି ଓ ସାମ୍ୱାଦିକ ମାନଙ୍କୁ ଉପଢ଼ୌକନ ଓ ମାନପତ୍ର ସହ ପୁଷ୍ପବୋଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା । ଏହି ପଞ୍ଚୁପାଣ୍ଡବ ମହୋତ୍ସବ ନିର୍ବାଚନ ମଣ୍ଡଳୀର ଏକ ବିକାଶର ଛବି ବୋଲି ଦଶପଲ୍ଲା ବିଧାୟକ କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିକାଶର ଚରମ ସୀମା ରେ ପହଞ୍ଚିଛି। ଗୋଲଖ ବିହାରୀ ଗୋଚ୍ଛାୟତ ମଞ୍ଚ ପରିଚାଳନା କରିଥିବା ବେଳେ ଆତ୍ମାର ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ ଦେଇଥିଲେ ।

୨ୟ ସାନ୍ଧ୍ୟ କାର୍ଯ୍ୟକ୍ରମରେ କୋରଡ଼ା ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୂଆଗାଁ ବନ୍ଦନା, ସ୍ଥାନୀୟ କଳାକାର ଏବଂ ଜଗତସିଂହପୁର ଦୁଃଖୀରାମ ସ୍ୱାଇଁ କଳା ପ୍ରତିଷ୍ଠାନ ସମ୍ବଲପୁରୀ ଲୋକ ନୃତ୍ୟ , କୋରାପୁଟ ଓ କନ୍ଧମାଳ ଆଦିବାସୀ ନୃତ୍ୟ, କଣ୍ଠ ଶିଳ୍ପୀ ଦିପ୍ତିରେଖା ପାଢ଼ୀ ଓ ସାଥୀ କଳାକାର ମାନଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ଝୁମିଲେ ହଜାର ହଜାର ଦର୍ଶକ ଦୁଲୁକିଲା କଷ୍ଟି ଡାକୁଆ ସାଂସ୍କୃତିକ ମଞ୍ଚ ।

ଅଧିକ ପଢନ୍ତୁ