ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବନି ଇରାନ- ରାଷ୍ଟ୍ରପତି

ଇରାନ ଉପରେ ଗତ ଶନିବାରଠାରୁ ଇସ୍ରାଏଲ ଓ ଆମେରିକା ଆକ୍ରମଣ ଜାରି ରଖିଥିବାବେଳେ ଇରାନ ମଧ୍ୟ ସେମାନଙ୍କ ଉପରେ ପାଲଟା ଆକ୍ରମଣ କରୁଛି। ଇରାନ ଇସ୍ରାଏଲ ଉପ‌ରେ ସିଧାସଳଖ ଆକ୍ରମଣ କରୁଥିବାବେଳେ ପଶ୍ଚିମ ଏସିଆରେ ଥିବା ଆମେରିକାର ସାମରିକ ଘାଟି ଉପରେ ଜୋରଦାର ଆକ୍ରମଣ କରୁଛି। ତେବେ ଯୁଦ୍ଧ ପାଇଁ କରିଥିବା ଆକ୍ରମଣ ଶନିବାର ପଡ଼ୋଶୀ ଗଲ୍ଫ ଦେଶଗୁଡ଼ିକୁ କ୍ଷମା ମାଗିଛନ୍ତି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ । ଆମେରିକା ଇସ୍ରାଏଲ୍ ସହ ଯୁଦ୍ଧ ବଢ଼ୁଥିଲେ ବି ଇରାନର ଅନ୍ୟ କେଉଁ ଦେଶ ଉପରେ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ପେଜେଶ୍କିଆନ କହିଛନ୍ତି । ଏକ ଟିଭି ଚ୍ୟାନେଲରେ ସେ କହିଛନ୍ତି, ଇରାନର ଅସ୍ଥାୟୀ ନେତୃତ୍ୱ ପରିଷଦ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ ସ୍ଥଗିତ ରଖିବା ଏବଂ କ୍ଷେପଣାସ୍ତ୍ର ମାଡ଼ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଯଦି ଏହି ଦେଶଗୁଡ଼ିକ ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ ନ କରନ୍ତି, ତେବେ ଇରାନ ସେମାନଙ୍କ ଉପରେ ଆକ୍ରମଣ କରିବ ନାହିଁ ବୋଲି ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।ସେହିପରି ଆମେରିକା ଆଗରେ ଆତ୍ମସମର୍ପଣ କଥାକୁ ଇରାନ ରାଷ୍ଟ୍ରପତି ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ପେଜେସ୍କିଆନ କହିଛନ୍ତି, ସେମାନେ ଆମର ନିଃସର୍ତ୍ତ ଆତ୍ମସମର୍ପଣର ସ୍ୱପ୍ନକୁ କବର ପର୍ଯ୍ୟନ୍ତ ନେଇପାରିବେ। ଇରାନ ରାଷ୍ଟ୍ରପତିଙ୍କ ଏହି ବିବୃତି କ୍ରମାଗତ ଆଞ୍ଚଳିକ ସଂଘର୍ଷ ମଧ୍ୟରେ ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଦୃଢ଼ ମନୋଭାବ ବଜାୟ ରଖି ପଡ଼ୋଶୀ ଦେଶମାନଙ୍କୁ ଆଶ୍ୱସ୍ତ କରିବା ପାଇଁ ତେହେରାନର ପ୍ରୟାସକୁ ସଙ୍କେତ ଦେଉଛି।

ଅଧିକ ପଢନ୍ତୁ