ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ବର୍ଷ ଆପଣଙ୍କ ସ୍ବପ୍ନ ସାକାରର ବର୍ଷ ହେଉ। ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି।
ସେହିପରି ରାଷ୍ଟ୍ରପତି ମଧ୍ୟ ରାଜ୍ୟବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ପଣାସଂକ୍ରାନ୍ତି ଆମ ସମାଜକୁ ପ୍ରେମ ଓ ଶାନ୍ତିର ବାର୍ତ୍ତା ଦେଇଥାଏ। ଦେଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ। ଏଥିସହିତ ରାଷ୍ଟ୍ରପତି ସମସ୍ତଙ୍କ ସୁଖସମୃଦ୍ଧି କାମନା କରିଛନ୍ତି।ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ କାମନା କରିଛନ୍ତି। ସେହିଭଳି ଓଡ଼ିଆ ନୂଆବର୍ଷ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, ‘ଆଜି ଓଡ଼ିଆ ନୂଆବର୍ଷ। ପବିତ୍ର ମହାବିଷୁବ ସଂକ୍ରାନ୍ତି। ମହାବୀର ହନୁମାନ ଜୟନ୍ତୀ। ଆଜି ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ହେବ ଶୁଭାରମ୍ଭ। ଆଜି ଭାରତର ସମ୍ବିଧାନ ପ୍ରଣେତା, ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ। ଆଜିର ଏହି ପବିତ୍ର ଶୁଭ ଦିନରେ ଆମ ରାଜ୍ୟର, ରାଜ୍ୟ ବାହାରେ ଏବଂ ସାରା ବିଶ୍ୱରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ଅଭିନନ୍ଦନ ଜଣାଉଛି।