ପଦ୍ମଶ୍ରୀ ସମ୍ମାନକୁ ନେଇ ବିବାଦ: ନୋଟିସ୍ ଜାରି କଲେ ହାଇକୋର୍ଟ

ପଦ୍ମଶ୍ରୀ ପୁରସ୍କାର ବିବାଦ ଭିତରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ଉଭୟ ଅନ୍ତର୍ୟ୍ୟାମୀ ମିଶ୍ର ସେମାନଙ୍କ ଲିଖିତ ବହି ସହିତ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ। ସମାନ ନାଁ ଥିବାରୁ ପଦ୍ମଶ୍ରୀ ପୁରସ୍କାର ଅନ୍ୟ ଜଣଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ମାମଲାକୁ ଗୁରୁତ୍ବର ସହ ନେଇ କେନ୍ଦ୍ର ସରକାର ଓ ଢେଙ୍କାନାଳର ଅନ୍ତର୍ୟ୍ୟାମୀ ମିଶ୍ରଙ୍କୁ ନୋଟିସ୍ ଜାରି କରିଛନ୍ତି କୋର୍ଟ ।ଏଥି ସହିତ ଫେବ୍ରୁଆରି ୨୪ ତାରିଖ ଦିନ ୨ଟାରେ ଆବେଦନକାରୀ ଅନ୍ତର୍ୟ୍ୟାମୀ ମିଶ୍ର ଓ ପ୍ରତିପକ୍ଷ ନମ୍ବର-୨ ଢେଙ୍କାନାଳର ଅନ୍ତର୍ୟ୍ୟାମୀ ମିଶ୍ରଙ୍କୁ ବ୍ୟକ୍ତିଗତ ଭାବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଦ୍ମଶ୍ରୀ ପୁରସ୍କାର ଦାବି ନେଇ ପ୍ରମାଣ କରିବା ପାଇଁ ଉଭୟ ଆବେଦନକାରୀ ଓ ପ୍ରତିପକ୍ଷ ନମ୍ବର-୨ ଅନ୍ତର୍ୟ୍ୟାମୀ ମିଶ୍ର ସେମାନଙ୍କ ପ୍ରକାଶିତ ପ୍ରାସଙ୍ଗିକ ବହୁ ଓ ତଥ୍ୟ ପରବର୍ତ୍ତୀ ଶୁଣାଣି ସମୟରେ ଉପସ୍ଥାପନ କରିବେ।ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଜଣେ ପଶୁ ଚିକିତ୍ସକ ଓ ଲେଖକ। ‌ସେ ଭୁବନେଶ୍ବରରେ ଅବସ୍ଥାନ କରନ୍ତି। ଓଡ଼ିଆ ଓ ଅନ୍ୟ ଭାରତୀୟ ଭାଷାରେ ଆବେଦନକାରୀ ୨୯ଟି ପୁସ୍ତକ ଲେଖିଛନ୍ତି।

ସାହିତ୍ୟ ପ୍ରତି ଅବଦାନ ପାଇଁ ତାଙ୍କ ନାଁ ୨୦୨୩ର ପଦ୍ମଶ୍ରୀ ସମ୍ମାନ ତାଲିକାରେ ସ୍ଥାନ ପାଇଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ତାଙ୍କୁ ଫୋନ୍ କଲ ଆସିଥିଲା। ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହିତ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ପାଇଁ ନିମନ୍ତ୍ରଣ ପତ୍ର ଲାଗି ଅପେକ୍ଷା କରିବାକୁ କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ଏହି ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ଅନ୍ତର୍ୟ୍ୟାମୀ ମିଶ୍ର।

ଅଧିକ ପଢନ୍ତୁ