ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥକାଠ

ଆଜି ରଥକାଠ ଅନୁକୂଳ ।  ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥକାଠ ।  ରଥଯାତ୍ରା ପାଇଁ ବିଧି ମୁତାବକ ତିନିଟି କାଠକୁ ପୂଜା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡ ରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ବାର ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ଆଜି ସନ୍ଧ୍ୟାରେ ପୂଜାପାଠ କରାଯିବ। ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିବେ।ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଘଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶି ଓ ୩ ଖଣ୍ଡ ଶିମିଳି କାଠ, ଏହିପରି ମୋଟ୍ ୮୬୫ ଖଣ୍ଡ କାଠ ଆବଶ୍ୟକ ପଡ଼େ ।

ଗତବର୍ଷ ରଥଯାତ୍ରାରେ ୪୭ ଖଣ୍ଡ କାଠ ବଳକା ରହିଥିବା ବେଳେ ଆଉ ମୋଟ ୮୧୮ ଖଣ୍ଡ କାଠ ଆବଶ୍ୟକ ରହିଛି ।  ରଥ ନିର୍ମାଣ ନିମନ୍ତେ ପ୍ରଥମ ପର୍ୟ୍ୟାୟ କାଠ ବି ଆସି ପୁରୀରେ ପହଞ୍ଚସାରିଛି ।  ଆଜି ରଥକାଠ ଅନୁକୂଳ ପରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ୟ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ ।

ଅଧିକ ପଢନ୍ତୁ