ପାର୍ବଣରେ ଜୋର ଜବରଦସ୍ତି ଆଦାୟ କରି ପାରିବେନି ଚାନ୍ଦା

ପାର୍ବଣରେ ଜୋର ଜବରଦସ୍ତି ଆଦାୟ କରି ପାରିବେନି ଚାନ୍ଦା । ବିଶୃଙ୍ଖଳା କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ। କଟକ ଶାରଳା ଭବନରେ ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି କଟକ କମିଶନରେଟ ପୋଲିସ । ଚଳିତ ବର୍ଷ ସହରରେ ପ୍ରାୟ ୧୨ଶହ ମଣ୍ଡପରେ ବିଘ୍ନ ବିନାସକଙ୍କ ପୂଜା ଆୟୋଜିତ ହେବ । ଭସାଣ ଉତ୍ସବକୁ ୩ଟି ପର୍ଯ୍ୟାୟରେ କରିବା ପାଇଁ କମିଶନରେଟ୍ ପୋଲିସ୍ ଓ ମହାନଗର ନିଗମ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ କଟକ ସହରରେ ଗଣେଶ ପୂଜା ଉତ୍ସବକୁ ସୁରୁଖୁରୁରେ ପରିଚାଳନା କରିବା, ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଶବ୍ଦ ନିୟନ୍ତ୍ରଣ ସମ୍ପର୍କରେ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।ସମସ୍ତ ପୂଜା ମଣ୍ଡପଗୁଡ଼ିକରେ ବିଦ୍ୟୁତ ସଂଯୋଗ ପାଇଁ ଉଚ୍ଚମାନର କିମ୍ବା ନୂତନ ତାର ବ୍ୟବହାର କରିବାକୁ ପଡିବ। ଦୁର୍ଘଟଣା ରୋକିବା ପାଇଁ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ରହିବ।

ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ୨୭ ତାରିଖରେ ପାଳିତ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୩୧ ତାରିଖରେ ଏବଂ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୭ ଏବଂ ୧୪ ତାରିଖରେ ମୂର୍ତ୍ତି ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବ। ସେହିପରି ବୁଢା ଗଣେଶଙ୍କ ବିସର୍ଜନ ପାଇଁ ଏକ ପୃଥକ ତାରିଖ ସ୍ଥିର କରାଯିବ। ଚଳିତ ବର୍ଷ ଗଣେଶ ପୂଜା ପ୍ରାୟ ୧୨୦୦ ମଣ୍ଡପରେ ପାଳିତ ହେବ।ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିସର୍ଜନ ଶୋଭାଯାତ୍ରା ପାଇଁ ପୋଲିସ ମଧ୍ୟ ନିର୍ଦ୍ଦେଶାବଳୀ ନିର୍ଦ୍ଧାରଣ କରିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ, ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ କୌଣସି ଅଶ୍ଳୀଳତାକୁ ଅନୁମତି ଦିଆଯିବ ନାହିଁ ଏବଂ ସମସ୍ତ କାର୍ଯ୍ୟକ୍ରମ ରାତି ୧୦ଟା ସୁଦ୍ଧା ଶେଷ ହେବା ଆବଶ୍ୟକ।ଏହା ବ୍ୟତୀତ ସମସ୍ତ ବିସର୍ଜନ ଶୋଭାଯାତ୍ରା ପାଇଁ ଶବ୍ଦ ନିୟନ୍ତ୍ରକ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।

ଅଧିକ ପଢନ୍ତୁ