ପରୀକ୍ଷା ପରିଚାଳନାରେ ଅନିୟମିତତା ଧରାଇଦେଲା ଏଆଇ କ୍ୟାମେରା । ସୁପରିଟେଣ୍ଡେଣ୍ଟ ଦାଇତ୍ୱରୁ ହଟିଲେ ସାହାରପଡା ନୋଡ଼ାଲ ସେଣ୍ଟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ । ତେବେ ଏଆଇ ଓ ସିସି ଟିଭି ସର୍ଭେଲାନ୍ସରେ ମାଟ୍ରିକ୍ ପରୀକ୍ଷା ତ୍ରୁଟି ଧରାପଡିଛି। ଏ ନେଇ ବିଏସଇ କମାଣ୍ଡ କଣ୍ଟେ୍ରାଲ୍ ରୁମ୍ ସୂଚନା ଜାରି କରିଛି। ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ଦୁଇଟି ଲେଖାଏଁ ସ୍କୁଲରେ ତ୍ରୁଟି ଧରାପଡିଛି। କେନ୍ଦୁଝର, ନବରଙ୍ଗପୁର ଓ ଗଜପତିର ଗୋଟିଏ ଲେଖାଏଁ ସ୍କୁଲରେ ତ୍ରୁଟି ପରିଲକ୍ଷିତ ହୋଇଛି।
ଭଦ୍ରକ ଜିଲ୍ଲାରେ ଧାର୍ଯ୍ୟ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଥିବା ଜଣାପଡିଛି। ଯାଜପୁରରେ ପ୍ରଧାନ ଶିକ୍ଷକଙ୍କ ଚାମ୍ବରରେ ପ୍ରଶ୍ନପତ୍ର ଆଗୁଆ ଖୋଲାଯାଇଛି। ଆଉ କେତେକ ସ୍ଥାନରେ ପରୀକ୍ଷାର୍ଥୀ କପି କରିବାର ପ୍ରମାଣ ମଧ୍ୟ ମିଳିଛି। ତେବେ ସାହାରପଡ଼ା ନୋଡାଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲୁଥିବା ସମୟରେ ଛାତ୍ରଛାତ୍ରୀ କପି କରୁଥିବା ନେଇ ଏଆଇ କ୍ୟାମେରାରୁ ଜଣାପଡିବା ପରେ ବୋର୍ଡ ପକ୍ଷରୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।