ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ଶିମିଳିପାଳ ପର୍ଯ୍ୟଟକଙ୍କ ଲାଗି ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ। ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଶିମିଳିପାଳର ବନ୍ୟ ଜୀବଜନ୍ତୁଙ୍କୁ ଦେଖିବା ସହ ନଦୀ, ଝରଣା, ପ୍ରପାତ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି।ତେବେ ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ୨୦ଟି ଜଙ୍ଗଲ ସଫାରୀର ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତା ଦେଇଯାଇପାରିବେ ପର୍ଯ୍ୟଟକ। ଜୁନ ୧୨ ତାରିଖଠାରୁ ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରାଯାଇଥିଲା। ବିଭାଗ ପକ୍ଷରୁ ଜାରି ନିୟମାବଳୀ ଅନୁଯାୟୀ, ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକମାନେ ବାରିପଦାର ପିଠାବଟା ଫାଟକ ଏବଂ ଯଶିପୁରର କାଳିଆଣି ଫାଟକ ଦେଇ ପ୍ରବେଶ କରିବେ। ତଦସହିତ ଦୈନିକ ସର୍ବାଧିକ ପ୍ରଥମେ ପହଞ୍ଚିଥିବା ୨୫ଟି ଚାରି ଚକିଆ ଯାନ ପିଠାବଟା ତନଖି ଫାଟକ ମଧ୍ୟ ଦେଇ ଏବଂ ପ୍ରଥମ ୩୫ଟି ଚାରି ଚକିଆ ଯାନ ଯଶିପୁର କାଳିଆଣି ତନଖି ଫାଟକ ମଧ୍ୟ ଦେଇ ପ୍ରବେଶ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରଖାଯାଇଛି।
ଶିମିଳିପାଳ ମଧ୍ୟକୁ ଯିବାକୁ ଥିବା ସମସ୍ତ ଚାରି ଚକିଆ ଯାନ ଗୁଡିକ ୧୮୦ ଏମଏମ କିମ୍ବା ଅଧିକ ଗ୍ରାଉଣ୍ଡ କ୍ଲିୟରାନ୍ସ ରହିବାର ଆବଶ୍ୟକତା ରହିଥିବା ସହିତ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ ନେବା ବାଧ୍ୟତାମୂଳକ ରହିଛି। ଏହି ଫାଟକ ଦେଇ ଭାରୀଯାନ ପ୍ରବେଶକୁ ନିଷେଧ କରାଯାଇଛି।ସକାଳ ୬ଟାରୁ ୧୨ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ। ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଏବଂ ଜାମୁଆଣି ଠାରେ ଇକୋ କୋଟେଜରେ ରାତିରହଣୀ ପାଇଁ ପର୍ଯ୍ୟଟକମାନେ ପୂର୍ବରୁ www.odishaecoturisim.comରେ ଲଗ୍ ଅନ୍ କରି ଅଲ୍ଲାଇନ୍ ବୁକିଂ ମାଧ୍ୟମରେ ରାତିରହଣୀ ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ। ଚଳିତ ବର୍ଷ ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସଫାରୀରେ ଭ୍ରମଣ ବେଳେ ବନ୍ୟପ୍ରାଣୀ ନିୟମକୁ କଡାକଡି ପାଳନ କରିବାକୁ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।