ପଶୁ ପାଳନ କ୍ଷେତ୍ରକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରନ୍ତୁ

ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ। କୃଷି କାର୍ଯ୍ୟ ସହିତ ଗାଇ, ଛେଳି, ମେଣ୍ଢା ଓ ମାଛ ଚାଷ ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅବସରରେ ଏହା କହିଛନ୍ତି।ମୁଖ୍ୟମନ୍ତ୍ରୀ ଉପସ୍ଥିତ କର୍ମଚାରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଆପଣ ମାନେ ଆପଣଙ୍କ ବୃତ୍ତିକୁ ଏକ ସାଧାରଣ ଚାକିରୀ ବୋଲି ଭାବନ୍ତୁ ନାହିଁ। ଆପଣ ମାନଙ୍କ ଜ୍ଞାନ ଯେପରି ଲୋକଙ୍କ ଉପକାରରେ ଆସିବ, ସେମାନେ ଯେପରି ପଶୁ ପାଳନ ବୃତ୍ତିକୁ ଏକ ଲାଭ ଜନକ ତଥା ସମ୍ମାନଜନକ ବୃତ୍ତି ଭାବେ ଗ୍ରହଣ କରିବେ ସେଥିପାଇଁ ଉଦ୍ୟମ କରନ୍ତୁ। ଆପଣ ମାନେ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖେ ପହଞ୍ଚାନ୍ତୁ ଏବଂ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରନ୍ତୁ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀ ପାଳନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅନେକ ସହାୟତା ଓ ରିହାତିର ବ୍ୟବସ୍ଥା କରାଯାଇଛି। ଆମ ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହେଲେ ସାଧାରଣ ଲୋକ ଓ ଯୁବବର୍ଗ ଏ କ୍ଷେତ୍ର ପ୍ରତି ଅଧିକ ଆକର୍ଷିତ ହେବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣ ମାନେ ଡବଲ ଇଞ୍ଜିନ ସରକାର ଦେଇଛନ୍ତି। ଆମକୁ ମଧ୍ୟ ବିକାଶକୁ ଡବଲ ସ୍ପିଡ୍‌ରେ କରିବାକୁ ପଡିବ। ଏ ବିଭାଗକୁ ଆହୁରି ସଶକ୍ତ କରିବାକୁ ପଡିବ। ଚାଷୀ ମାନଙ୍କୁ ଆଗକୁ ନେବାକୁ ପଡିବ। ଏଥିପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ।

ଅଧିକ ପଢନ୍ତୁ